ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକର ୮୧ ହଜାର କୋଟି ଟଙ୍କାର ଋଣ ରାଶି ବୁଡ଼ିଯିବା ସ୍ତରରେ ପହଞ୍ଚିଯାଇଛି। ଏହି ଋଣ ରାଶି ଆଦାୟ ହେବାର ଆଉ ବିଶେଷ ସମ୍ଭାବନା ନାହିଁ। ୨୦୧୬-୧୭ରେ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ମୋଟ ୮୧,୬୮୩ କୋଟି ଟଙ୍କାର ଋଣ ରାଶିକୁ ‘ରାଇଟ୍ ଅଫ୍’ କରାଯାଇଛି। ରାଇଟ୍ ଅଫ୍୍ର ଅର୍ଥ ହେଉଛି ଯେଉଁ ଋଣ ଆଉ ଆଦାୟ ହେବାର ସମ୍ଭାବନା ନାହିଁ, ତାହାକୁ ବ୍ୟାଙ୍କର ବାଲାନ୍ସ ସିଟ୍ରୁ ହଟାଇ ଦେବା ପ୍ରକ୍ରିୟା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ସର୍ବାଧିକ ୨୦,୩୩୯ କୋଟି ଟଙ୍କା ରାଇଟ୍ ଅଫ୍ କରିଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ୯୨୦୫ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ୭୩୪୬ କୋଟି ଟଙ୍କା, କାନାରା ବ୍ୟାଙ୍କ ୫୫୪୫ କୋଟି ଟଙ୍କା ଏବଂ ବ୍ୟାଙ୍କ ଅଫ୍ ବରୋଦା ୪୩୪୮ କୋଟି ଟଙ୍କା ରାଇଟ୍ ଅଫ୍ କରିଛି। ବିଗତ ପାଞ୍ଚ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକର ରାଇଟ୍ ଅଫ୍ ପରିମାଣ ତିନି ଗୁଣ ବଢ଼ିଯାଇଛି। ୨୦୧୨-୧୩ରେ ବ୍ୟାଙ୍କଗୁଡ଼ିକ ୨୭,୨୩୧ କୋଟି ଟଙ୍କା ରାଇଟ୍ ଅଫ୍ କରିଥିଲେ। ଚଳିତ ଆର୍ଥିକ ବର୍ଷ (୨୦୧୭-୧୮)ର ପ୍ରଥମ ୬ ମାସ ଭିତରେ ବ୍ୟାଙ୍କଗୁଡ଼ିକ ୫୩,୬୩୫ କୋଟି ଟଙ୍କା ରାଇଟ୍ ଅଫ୍ କରିସାରିଲେଣି। ବିଗତ କିଛି ବର୍ଷ ହେଲାଣି ସରକାରୀ ବ୍ୟାଙ୍କଗୁଡ଼ିକ ପାଇଁ ନନ୍ ପରଫରମିଙ୍ଗ ଆସେଟ୍ (ଏନ୍ପିଏ) ଏକ ବଡ଼ ସମସ୍ୟା ହୋଇ ରହିଛି। ଏନ୍ପିଏ ହେଉଛି ସେହି ଋଣ ଯାହା ଉପରେ ସୁଧ ଆଦାୟ ବନ୍ଦ ହୋଇଯାଇଛି। ଋଣ ନେଇଥିବା ଗ୍ରାହକଙ୍କଠାରୁ ମାସିକିଆ କିସ୍ତି ଆକାରରେ ବ୍ୟାଙ୍କ ମୂଳଧନ ଏବଂ ସୁଧ ଆଦାୟ କରିଥାଏ। ଯେତେବେଳେ ବ୍ୟାଙ୍କ ଋଣ ଦେଇଥାଏ ତାହାକୁ ବାଲାନ୍ସ ସିଟ୍ରେ ‘ସମ୍ପତ୍ତି’ ବୋଲି ଦର୍ଶାଇଥାଏ। ଋଣ ଉପରେ ଆଦାୟ ହେଉଥିବା ସୁଧକୁ ‘ଆୟ’ ବୋଲି ବିଚାର କରାଯାଏ। ଯଦି ଋଣ ନେଇଥିବା ଗ୍ରାହକ ୯୦ ଦିନ ପର୍ଯ୍ୟନ୍ତ କିମ୍ବା ଲଗାତାର ତିନିଟି କିସ୍ତି ପ୍ରଦାନ କରିବାରେ ବିଫଳ ହୁଅନ୍ତି ତେବେ ସେହି ଋଣ ଖାତାକୁ ଏନ୍ପିଏ ବର୍ଗରେ ସାମିଲ କରିଦିଆଯାଏ।ଋଣ ଖାତା ଏନ୍ପିଏ ପରିଣତ ହୋଇଗଲେ ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ିଯାଏ। କାରଣ ସେମାନଙ୍କ ଆୟ ପ୍ରଭାବିତ ହୋଇଥାଏ। ତେଣୁ ସବୁ ବ୍ୟାଙ୍କ ଏନପିଏକୁ ନିୟନ୍ତ୍ରଣ ରଖିବାକୁ ଚାହାନ୍ତି। ଅନେକ ପ୍ରୟାସ ପରେ ଯେତେବେଳେ ଋଣ ରାଶି ଆଦାୟ ହୋଇପାରେ ନାହିଁ, ସେତେବେଳେ ବ୍ୟାଙ୍କ ଧରିନିଏ ଯେ ସେହି ଋଣ ରାଶି ଆଦାୟ କରିବା ଏକ ପ୍ରକାର ଅସମ୍ଭବ। ଏଭଳି ସମୟରେ ଆଦାୟ ହୋଇପାରୁନଥିବା ଋଣକୁ ବାଲାନ୍ସ ସିଟ୍ରୁ ହଟାଇବା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରାଯାଏ।
ରାଇଟ୍ ଅଫ୍ କଣ?
ରାଇଟ୍ ଅଫ୍ ହେଉଛି ଯେଉଁ ଋଣ ରାଶି ଦୀର୍ଘ ଦିନ ପର୍ଯ୍ୟନ୍ତ ଆଦାୟ ହୋଇପାରୁନାହିଁ ତାହାକୁ ବ୍ୟାଙ୍କର ବାଲାନ୍ସ ସିଟ୍ରୁ ହଟାଇ ଦେବା। ଏଭଳି ପରିସ୍ଥିତିରେ ସେହି ଋଣକୁ ବ୍ୟାଙ୍କ ସମ୍ପତ୍ତି ବୋଲି ବିଚାର କରେ ନାହିଁ। କିନ୍ତୁ ତାହାକୁ ଆଦାୟ କରିବାର ଉଦ୍ୟମ ବନ୍ଦ ହୁଏ ନାହିଁ। ବ୍ୟାଙ୍କଗୁଡ଼ିକ ବୈଷୟିକ ରାଇଟ୍ ଅଫ୍ ମଧ୍ୟ କରିଥାନ୍ତି। ଏଥିରେ ବ୍ୟାଙ୍କ ଶାଖାରେ ଥିବା ଖାତାରେ ଋଣ ରାଶି ପ୍ରଦର୍ଶନ କରାଯାଏ କିନ୍ତୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଖାତାକୁ ତାହାକୁ ବାଦ ଦିଆଯାଇଥାଏ। ରାଇଟ୍ ଅଫ୍ର ଅର୍ଥ ଋଣ ଛାଡ଼ ନୁହେଁ। ଏଥିରେ ଋଣ ଆଦାୟର କିଛି ସମ୍ଭାବନା ରହିଛି