ପ୍ରତି ମିନିଟ୍‌ରେ ୧୪୫୦ କୋଟି କ୍ଷତି, ସେନସେକ୍ସରେ ୧୯୩୯ ପଏଣ୍ଟ୍‌ ହ୍ରାସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାରରେ ଆଜି ଛଅ ଘଣ୍ଟାରୁ କିଛି ଅଧିକ ସମୟ କାରବାର ହୋଇଥିଲା। ଏହି ସମୟରେ ପ୍ରତି ମିନିଟ୍‌ରେ ନିବେଶକମାନେ ଆଜି ୧୪୫୦ କୋଟି ଟଙ୍କା ଲେଖାଏଁ ହରାଇଛନ୍ତି। ଆଜି ଗୋଟିଏ ଦିନରେ ସେମାନେ ୫.୪୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସରେ ୧୯୩୯ ପଏଣ୍ଟ୍‌ ହ୍ରାସ ଘଟିବାରୁ ନିବେଶକମାନଙ୍କୁ ଏଭଳି କ୍ଷତି ସାମ୍ନା କରିବାକୁ ପଡ଼ିଛି। ଆଜି ସେନ୍‌ସେକ୍ସ ୪୯, ୦୯୯ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୫୬୮ ପଏଣ୍ଟ୍‌ ହ୍ରାସ ପାଇ ୧୪,୫୨୯ ପଏଣ୍ଟ୍‌ରେ ବନ୍ଦ ହୋଇଛି।
ବଣ୍ଡ୍‌ ବଜାରରେ ଉତ୍ସାହ ଫେରିଥିବାରୁ ଇକ୍ବିଟିରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଷ୍ଟକ ବଜାର ମୁଖ୍ୟତଃ ଇକ୍ବିଟି ସେୟାର ଦ୍ବାରା ପରିଚାଳିତ। ଯେହେତୁ ଅଧିକାଂଶ ନିବେଶକ ନିଜ ପାଖରେ ଥିବା ଇକ୍ବିଟି ସେୟ‌ାର ବିକ୍ରି କରିଛନ୍ତି ସେଥିପାଇଁ ସେନ୍‌ସେକ୍ସରେ ହ୍ରାସ ଘଟିଛି। ଏହା ପଛରେ ଆମେରିକାର ବଡ଼ ହାତ ରହିଛି।

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ପକ୍ଷରୁ ଏଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁଥିପାଇଁ ବଣ୍ଡ୍‌ର ୟିଲଡ୍‌ (ରିଟର୍ଣ୍ଣ) ବୃଦ୍ଧି ପାଇଛି। ତେଣୁ ନିବେଶକମାନେ ଅନ୍ୟ ସବୁ ବଜାରରୁ ପାଣ୍ଠି ପ୍ରତ୍ୟାହାର କରି ଆମେରିକାର ବଣ୍ଡ୍‌ରେ ନିବେଶ କରିବାକୁ ଚାହୁଛନ୍ତି। ଯଦିଓ ତାହା ଆାମେରିକା ପାଇଁ ଭଲ କିନ୍ତୁ ଭାରତ ଭଳି ଦେଶ ଯାହା ବିଦେଶୀ ପାଣ୍ଠି ଉପରେ ନିର୍ଭରଶୀଳ ସେମାନେ ଗୁରୁତର ପ୍ରଭାବିତ ହେବେ। ଦରଦାମ୍ ସ୍ଥିତି ବେଲଗାମ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର