ଇପିଏଫ୍‌ ସୁଧ ଆହୁରି କମିବ!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ସଦସ୍ୟମାନଙ୍କ ପାଇଁ ଖରାପ ଖବର। ଦୁଇ ବର୍ଷ ହେଲା କ୍ରମାଗତ ଭାବେ ସୁଧ ହାର ହ୍ରାସ କରି ଆସୁଥିବା ଇପିଏଫଓ ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ସୁଧ ହାର ପୁଣି କମାଇବା ସମ୍ଭାବନା ରହିଛି।

ଇପିଏଫଓ ଏହାର ସଦସ୍ୟମାନଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୮.୮ ପ୍ରତିଶତ ସୁଧ ପ୍ରଦାନ କରିଥିବାବେଳେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ୮.୬୫ ପ୍ରତିଶତ ସୁଧ ପ୍ରଦାନ କରିଛି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଏହି ସୁଧ ହାର ଆହୁରି ଖସିପାରେ ବୋଲି ଶ୍ରମ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ଇପିଏଫଓ ଏହାର ସଦସ୍ୟମାନଙ୍କ ଖାତାକୁ ସିଧାସଳଖ ଇଟିଏଫ୍‌ ୟୁନିଟ୍‌ ପ୍ରଦାନ ଯୋଜନା କରୁଛି। ଏଥିସହିତ ବଣ୍ଡ୍‌ ସମେତ ଅନ୍ୟ ନିବେଶରୁ କମ୍‌ ରିଟର୍ଣ୍ଣ ମିଳୁଥିବାରୁ ଇପିଏଫଓ ସଦସ୍ୟମାନଙ୍କୁ ପ୍ରଦାନ କରୁଥିବା ସୁଧ ହାର ହ୍ରାସ କରିବା ନେଇ ବିଚାର କରୁଛି ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଇପିଏଫଓ କେତେ ଅର୍ଥ ବିଭିନ୍ନ ନିବେଶ ଆଦିରୁ ପାଇବ ତାହାର ଆକଳନ ପରେ ହିଁ ସବୁକିଛି ସ୍ପଷ୍ଟ ହେବ।

ଆଇଆଇଏମ୍‌ ବାଙ୍ଗାଲୋରର ପରାମର୍ଶ କ୍ରମେ ଇପିଏଫଓ ଏକ ନୂଆ ଆକାଉଣ୍ଟିଂ ନୀତି ନିର୍ଦ୍ଧାରଣ କରିଛି। ନୂଆ ନୀତି ଅନିଯାୟୀ ଚଳିିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଦସ୍ୟମାନଙ୍କ ଖାତାରେ ଇଟିଏଫ୍‌ ୟୁନିଟ ଜମା ହେବ। ତେଣୁ ପ୍ରତ୍ୟେକ ସଦସ୍ୟଙ୍କ ଇପିଏଫ୍‌ ରାଶି ଦୁଇ ପ୍ରକାରରେ ରହିବ। ଗୋଟିଏ ଅର୍ଥ ଏବଂ ଅନ୍ୟଟି ଇଟିଏଫ୍‌ ୟୁନିଟ୍‌ ଆକାରରେ ରହିବ। ସଦସ୍ୟମାନଙ୍କୁ ସେମାନଙ୍କ ଇପିଏଫ୍‌ ଖାତାରେ ଜମା ଥିବା ଟଙ୍କାରୁ କିମ୍ବା ଇଟିଏଫ୍‌କୁ ବିକ୍ରି କରି ଅଗ୍ରିମ ନେବା ସୁବିଧା ମିଳିବ। ଉଲ୍ଲେଖଯୋଗ୍ୟ ଯେ, ସଦସ୍ୟମାନଙ୍କୁ ସୁବିଧାରେ ସେବା ପ୍ରଦାନ କରିବା ପାଇଁ ଇପିଏଫଓ ଏହାର ସୂଚନା ପ୍ରଯୁକ୍ତି (ଆଇଟି) ବ୍ୟବସ୍ଥାକୁ ସୁଦୃଢ଼ କରୁଛି। ସଦସ୍ୟମାନେ ଅନ୍‌ଲାଇନ୍‌ରେ ନିଜ ଖାତାରେ ଥିବା ତ୍ରୁଟିର ସଂଶୋଧନ କରିପାରିବେ। ସଂଗଠନର େଓ୍ଵବସାଇଟ୍‌ ଜରିଆରେ ସେମାନେ ଏଥିପାଇଁ ଆବେଦନ କରିପାରିବେ। ସଦସ୍ୟମାନଙ୍କୁ ଶୀଘ୍ର ପେମେଣ୍ଟ ପ୍ରଦାନ କରିବା ପାଇଁ ମଧ୍ୟ ଇପିଏଫଓ ଉଦ୍ୟମ କରୁଛି। ଏନ୍‌ପିସିଆଇ ସହ ମିଶି ପେମେଣ୍ଟ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର