ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରଠାରୁ ଅନ୍ଲାଇନ୍ରେ ଆଲୋଚନା ଏବଂ ବୈଠକ ଆୟୋଜନ କ୍ଷେତ୍ରରେ ଗୁଗଲ୍ ମିଟ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଇତି ମଧ୍ୟରେ କଂପାନି ଗୁଗଲ୍ ମିଟ୍ ପ୍ଲାଟଫର୍ମରେ ଅନେକ ନୂଆ ସୁବିଧା ଯୋଡ଼ିଛି। ଏହା ଲାପ୍ଟପ୍, ଡେସ୍କଟପ୍ ଓ ସ୍ମାର୍ଟଫୋନ୍ ଭଳି ତିନିଟି ମାଧ୍ୟମରେ ଉପଲବ୍ଧ ହୋଇଛି। ଯେହେତୁ ଅନଲାଇନ୍ ଆଲୋଚନାରେ ବ୍ୟବହାରକାରୀମାନଙ୍କୁ ଅଧିକ ସମୟ ସ୍କ୍ରିନ୍କୁ ଦେଖିବାକୁ ପଡ଼ୁଛି ତେଣୁ ଆଖି ଉପରେ ପଡ଼ୁଥିବା ଚାପ କମ୍ କରିବା ଲାଗି ଲାପ୍ଟପ୍ ଓ ଡେସ୍କଟପ୍ ବ୍ୟବହାରକାରୀମାନଙ୍କ ଲାଗି ଗୁଗଲ୍ ମିଟ୍ରେ ଲୋ ଲାଇଟ୍ ମୋଡ୍ ସକ୍ରିୟ କରାଯାଇଛି। କଂପାନି ୟୁଜର୍ ଇଣ୍ଟରଫେସ୍ରେ ମଧ୍ୟ ବଡ଼ ଧରଣର ପରିବର୍ତନ ଆଣିଛି। ଆସନ୍ତା ମାସ ଠାରୁ ବ୍ୟବହାରକାରୀମାନେ ତାହାକୁ ବ୍ୟବହାର କରିବା ବେଳେ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ପାଇପାରିବେ।
ମୋବାଇଲ୍ ନେଟ୍ୱର୍କରେ ଯେଭଳି ଅଧିକ ଡାଟା ସଂଚୟ ହୋଇପାରିବ ସେଥିପାଇଁ ଡାଟା ସେଭର୍ ସୁବିଧା ଯୋଡ଼ାଯାଇଛି। ଗୁଗଲ୍ ୱାର୍କସ୍ପେସ୍ ଯାହା ଏକ ଦେୟଯୁକ୍ତ ସେବା ତାହାକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ନୂଆ ଅଟୋ ଜୁମ୍ ସୁବିଧା ପାଇପାରିବେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ଥିବା ଏହି ସୁବିଧାରେ ଗ୍ରାହକମାନେ ଭିଡିଓକୁ ଭଲ ଭାବେ ସେଟ୍ କରି ଅଂଶଗ୍ରହଣକାରୀମାନଙ୍କ ସାମ୍ନାରେ ନିଜକୁ ଉପସ୍ଥାପନ କରିପାରିବେ। ଏକ ବ୍ଲଗ୍ ପୋଷ୍ଟ୍ରେ ଗୁଗଲ୍ ଜଣାଇଛି ଯେ ଗୁଗଲ୍ ମିଟ୍ର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବ୍ୟବହାରକାରୀମାନେ ଖୁବ୍ଶୀଘ୍ର ପ୍ରଚ୍ଛଦ (ବ୍ୟାକ୍ଗ୍ରାଉଣ୍ଡ୍)କୁ ଭିଡିଓ କିମ୍ବା ଛବି ଜରିଆରେ ବଦଳାଇପାରିବେ। ଭିଡିଓ ବ୍ୟାକ୍ଗ୍ରାଉଣ୍ଡ୍ର ଲାଭ ଏହା ଯେ ଆପଣ ଯେକୌଣସି ସ୍ଥାନରେ ରହି ଗୁଗଲ୍ ମିଟ୍ରେ ସାମିଲ ହୋଇପାରିବେ। ଆପଣଙ୍କ ପଛ ପଟେ କ’ଣ ରହିଛି ତାହା ଜଣାପଡ଼ିବ ନାହିଁ। ସେହି ସ୍ଥାନରେ ଭିଡିଓ କିମ୍ବା ଛବି ରହିବ।