ଗାଡ଼ିରେ ନିମ୍ନ ମାନର ନିରାପତ୍ତା ବ୍ୟବସ୍ଥା: ଚିନ୍ତା ପ୍ରକଟ କଲେ ସରକାର, କଂପାନି ଜାଣିଶୁଣି ମାନ ହ୍ରାସ କରୁଛି

ସେଭଳି ଗାଡ଼ି ବିକ୍ରି ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ: ଗାଡ଼ି ନିର୍ମାଣ କରୁଥିବା କିଛି କଂପାନି ଦେଶ ଭିତରେ ବିକ୍ରି ପାଇଁ ଉତ୍ପାଦନ କରୁଥିବା ଯାନର ନିରାପତ୍ତା ବ୍ୟବସ୍ଥାକୁ ଜାଣିଶୁଣି ନିମ୍ନ ମାନର ରଖୁଛନ୍ତି। ଏହାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ସଚିବ ଗିରିଧର ଅରମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଅକ୍ଷମଣୀୟ ପ୍ରଥା ଏବଂ ତାହାକୁ ବନ୍ଦ କରାଯିବା ଦରକାର ବୋଲି ସେ କହିଛନ୍ତି। ଅଟୋମୋବାଇଲ୍ ନିର୍ମାତା ସଂଘ ସିଆମ୍‌ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ କଂପାନିଗୁଡ଼ିକ କେବଳ ଦାମୀ ଗାଡ଼ିଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ଉତ୍କୃଷ୍ଟ ସ୍ତରରେ ରଖୁଛନ୍ତି। ଅନ୍ୟ ଗାଡ଼ିଗୁଡ଼ିକରେ ଜାଣିଶୁଣି ନିମ୍ନ ମାନର ବ୍ୟବସ୍ଥା ରଖୁଛନ୍ତି। କେତେକ ମାମଲାରେ ସମାନ ମଡେଲ୍‌ର ଗାଡ଼ି ରପ୍ତାନି ଉଦ୍ଦେଶ୍ୟରେ ତିଆରି କରିବା ବେଳେ ଉତ୍ତମ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ବେଳେ ସେହି ଗାଡ଼ି ଦେଶ ଭିତରେ ବିକ୍ରି କରିବା ଲାଗି ଜାଣିଶୁଣି ତାହାର ସୁରକ୍ଷା ବ୍ୟବସ୍ଥାକୁ କମ୍ କରାଯାଉଛି। ସେଭଳି ଗାଡ଼ିର ବିକ୍ରି ବନ୍ଦ କରିବା ଲାଗି ସେ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। କେଉଁ ଗାଡ଼ିଗୁଡ଼ିକର ନିରାପତ୍ତା ବ୍ୟବସ୍ଥା ଦୁର୍ବଳ ତାହା ନିର୍ଦିଷ୍ଟ ଭାବେ ସେ ବର୍ଣ୍ଣନା କରିନାହାନ୍ତି। କିନ୍ତୁ ତାଙ୍କ କଥାରୁ ଏହା ଜଣାପଡ଼ୁଛି ଯେ କେବଳ ଚଢ଼ା ଦାମ୍‌ରେ ବିକ୍ରି ହେଉଥିବା ଗାଡ଼ିଗୁଡ଼ିକର ନିରାପତ୍ତା ବ୍ୟବସ୍ଥା ଦୃଢ଼ ରହୁଥିବା ବେଳେ ଅନ୍ୟ ଗାଡ଼ିଗୁଡ଼ିକ କ୍ଷେତ୍ରରେ ସେଥିରେ ସାଲିସ କରାଯାଉଛି। ଗ୍ରାହକମାନେ ଯେଉଁ ଗାଡ଼ି କିଣୁଛନ୍ତି ତାହା କେତେ ସୁରକ୍ଷିତ ଏବଂ ଏହାର ପ୍ରଭାବ ବିଷୟରେ ଗ୍ରାହକମାନଙ୍କୁ ଜଣାଇବା ହେଉଛି କଂପାନିଗୁଡ଼ିକର ଦାୟିତ୍ବ ବୋଲି ଶ୍ରୀ ଅରମାନେ କହିଛନ୍ତି।

ଗାଡ଼ିର ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରି ରେଟିଂ ପ୍ରଦାନ କରୁଥିବା ସଂସ୍ଥା ଗ୍ଲୋବାଲ୍‌ ଏନ୍‌ସିଏପି ବିଭିନ୍ନ ସମୟରେ କରୁଥିବା ପରୀକ୍ଷଣ ବେଳେ ଦେଶର ଅନେକ ଲୋକପ୍ରିୟ କାର୍‌ ବିଫଳ ହେଉଥିବାର ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ତେବେ ସମାନ ମଡେଲ୍‌ର କାର୍‌ ରପ୍ତାନି ପାଇଁ ତିଆରି କରିବା ବେଳେ ସୁରକ୍ଷା ମାନ ବଢ଼ାଇବା ଭଳି ବ୍ୟବସ୍ଥା ଗ୍ରହଣ କରିବା ବେଶ ଚିନ୍ତାଜନକ ବିଷୟ ବୋଲି ଶ୍ରୀ ଅରମାନେ କହିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଇ ସେ ଜଣାଇଛନ୍ତି ଯେ ୨୦୧୮ରେ ଆମେରିକାରେ ୪୫ ଲକ୍ଷ ସଡ଼କ ଦୁର୍ଘଟଣାରେ ୩୬,୫୦୦ ଲୋକଙ୍କ ପ୍ରାଣହାନି ହୋଇଥିଲା। ସେହି ବର୍ଷ ଭାରତରେ ଦଶ ଗୁଣା କମ୍ ଅର୍ଥାତ ସାଢ଼େ ଚାରି ଲକ୍ଷ ଦୁର୍ଘଟଣା ଘଟିଥିଲା। କିନ୍ତୁ ଆମେରିକା ତୁଳନାରେ ଭାରତରେ ପାଞ୍ଚ ଗୁଣ ଅଧିକ ଅର୍ଥାତ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଗାଡ଼ି ଓ ସଡ଼କର ଦୁର୍ବଳ ସ୍ଥିତି ଯୋଗୁଁ ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ ରହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର