ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ଦୁନିଆ ଏବେ ପରିବର୍ତ୍ତନ ଦେଇ ଗତି କରୁଥିବା ବେଳେ ଭାରତୀୟ ଆଇଟି କମ୍ପାନିଗୁଡ଼ିକ ଉପରେ ତାହାର ପ୍ରଭାବ ପଡ଼ିଛି। ଫଳରେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଉଥିବା ଏହି କମ୍ପାନିଗୁଡ଼ିକ ଦରମାକୁ ନେଇ ଆଉ ହାତ ଖୋଲିପାରୁନାହାନ୍ତି। ଆଇଟି କମ୍ପାନିରେ ଫ୍ରେସର ଭାବେ ଯୋଗଦେଉଥିବା କର୍ମଚାରୀଙ୍କ ଦରମା ଯଥେଷ୍ଟ କମ୍ ରହୁଥିବା ନେଇ ନିୟମିତ ଅଭିଯୋଗ ହେଉଛି। ନିକଟରେ କଗ୍ନିଜାଣ୍ଟ ପକ୍ଷରୁ ଫ୍ରେସରଙ୍କୁ ବାର୍ଷିକ ୨.୫୨ ଲକ୍ଷ ଟଙ୍କା ଦରମାରେ ଚାକିରି ପାଇଁ ଆବେଦନ ଆହ୍ବାନ କରାଯିବା ପରେ ଏହି ପ୍ରସଙ୍ଗକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ଦରମାରେ ଯିଏ ଚାକିରି କରିବ ତାଙ୍କୁ ମାସିକ ୨୦ ହଜାର ଟଙ୍କା ମିଳିବ। ଏତେ କମ୍ ଦରମାରେ ଜଣେ କର୍ମଚାରୀ କିଭଳି ବ୍ୟୟବହୁଳ ସହରରେ ଚଳିବେ ତାହା ସବୁଠୁ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ତେବେ କଗ୍ନିଜାଣ୍ଟ ନିଜର ପକ୍ଷ ସ୍ପଷ୍ଟ କରିଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ସାଧାରଣରେ ଯେଉଁ ଦରମା ବିଷୟରେ ଚର୍ଚ୍ଚା ହେଉଛି ତାହା ଅଣ ଇଞ୍ଜିନିୟରିଂ ସ୍ନାତକମାନଙ୍କ ଚାକିରି ପାଇଁ ଥିଲା। ଇଞ୍ଜିନିୟରମାନଙ୍କ ଦରମା ଅଲଗା ରହିଛି। ଇଞ୍ଜିନିୟରିଂ ବିଦ୍ୟାର୍ଥୀମାନଙ୍କୁ କମ୍ପାନି ବାର୍ଷିକ ୪-୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦେଉଥିବା କମ୍ପାନି ଜଣାଇଛି।
ଆଇଟି କମ୍ପାନିଗୁଡ଼ିକ ସାଧାରଣତଃ ଫ୍ରେସରମାନଙ୍କୁ ବାର୍ଷିକ ୩.୫ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଦେଇଥାନ୍ତି। ବହୁ ବର୍ଷ ହେଲାଣି ସେଥିରେ କୌଣସି ଆଖିଦୃଶିଆ ବୃଦ୍ଧି ଘଟୁନାହିଁ। ଦରଦାମ୍ ଯେଉଁ ହାରର ବଢ଼ିଛି ତାହାର ମୁକାବିଲା କରିବା ଲାଗି ମଧ୍ୟ ଦରମାକୁ ଆଡ୍ଜଷ୍ଟ କରାଯାଉନଥିବା ଅଭିଯୋଗ ରହିଛି। ଆଇଟି ଫ୍ରେସର୍ଙ୍କ ଦରମା ଗତ ୮-୧୦ ବର୍ଷ ମଧ୍ୟରେ ପରିବର୍ତ୍ତନ ହୋଇନାହିଁ। ବହୁ ବର୍ଷ ପୂର୍ବେ ଫ୍ରେସରମାନଙ୍କୁ ବାର୍ଷିକ ୨.୪ ଲକ୍ଷ ଟଙ୍କା ବେତନ ଦିଆଯାଉଥିଲା। ସେହି ସମୟରେ ତାହା ଆକର୍ଷଣୀୟ ଥିଲା।
ଆଇଟି ଶିଳ୍ପରେ ଅଟୋମେସନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିକଳ୍ପ ଚାଲିଥିବାରୁ ପ୍ରତ୍ୟକ୍ଷ କର୍ମଚାରୀଙ୍କ ଆବଶ୍ୟକତା କମ୍ ହେବାରେ ଲାଗିଛି। ସେଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ବିଶେଷ କରି ଆମେରିକାର ବଡ଼ ବଡ଼ ଆଇଟି କମ୍ପାନିଗୁଡ଼ିକ ଛଟେଇ କରୁଛନ୍ତି। ଭାରତର ଷ୍ଟାର୍ଟଅପ୍ଗୁଡ଼ିକରେ ଛଟେଇ ଦେଖିବାକୁ ମିଳୁଛି। ଏଭଳି ଏକ ସମୟରେ ଚାହିଦା ତୁଳନାରେ ମାନବ ସମ୍ବଳ ଯୋଗାଣ ଅଧିକ ରହିଥିବାରୁ କମ୍ପାନିଗୁଡ଼ିକ କମ୍ ଦରମାରେ ମଧ୍ୟ କର୍ମଚାରୀ ପାଇବାରେ ସଫଳ ହେଉଛନ୍ତି। ଯେହେତୁ ଆଇଟି ବ୍ୟବସାୟ ଏବେ ଚାପରେ ରହିଛି, ତେଣୁ କମ୍ପାନିଗୁଡ଼ିକ କର୍ମଚାରୀଙ୍କୁ ଅଧିକ ଦରମା ଦେଇ ସେହି ଚାପ ବଢ଼ାଇବାକୁ ଚାହୁନାହାନ୍ତି।