ନୂଆଦିଲ୍ଲୀ: ଆଇଆଇଟି ଓ ଆଇଆଇଏମ୍‌ରେ ପାଠପଢ଼ିଲେ ମୋଟା ଅଙ୍କର ଦରମା ମିଳିବାର ଯେଉଁ ଗ୍ୟାରେଣ୍ଟି ଥିଲା ତାହା ଧୀରେ ଧୀରେ ଦୂର ହେଉଥିବା ଭଳି ମନେ ହେଉଛି। ଚଳିତ ବର୍ଷ ଦେଶର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ପ୍ଲେସମେଣ୍ଟରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଏଭଳି କିଛି ଚିତ୍ର ଉପସ୍ଥାପନ କରିଛି। ଆଇଆଇଟି-ବମ୍ବେରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିନାହିଁ। ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଚଳିତ ବର୍ଷ ସର୍ବନିମ୍ନ ଦରମା ବାର୍ଷିକ ୪ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ସେହିପରି, ଆଇଆଇଏମ୍‌-ଅହମଦାବାଦରେ ଏକ୍‌ଜିକ୍ୟୁଟିଭ୍ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ମିଳିଥିବା ସର୍ବୋଚ୍ଚ ଦରମା ପ୍ରସ୍ତାବ ୧ କୋଟି ଟଙ୍କାରୁ ହ୍ରାସ ପାଇ ୫୦ ଲକ୍ଷ ଟଙ୍କା ହୋଇଛି ଯାହା ଗତ ୬ ବର୍ଷ ମଧ୍ୟରେ ସର୍ବନିମ୍ନ।

Advertisment

ଆଇଆଇଏମ୍‌-ଅହମଦାବାଦରେ ଚଳିତ ବର୍ଷର ସର୍ବୋଚ୍ଚ ଦରମା ହେଉଛି ୫୪.୮ ଲକ୍ଷ ଟଙ୍କା। ଗତବର୍ଷ ସର୍ବୋଚ୍ଚ ଦରମା ଥିଲା ୧.୦୮ କୋଟି ଟଙ୍କା। ଚଳିତ ବର୍ଷ ଅନୁଷ୍ଠାନର ଏକ୍‌ଜିକ୍ୟୁଟିଭ୍‌ ଏମ୍‌ବିଏ ବ୍ୟାଚ୍‌ର ୧୪୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୬ ଜଣ ପ୍ଲେସ୍‌ମେଣ୍ଟରେ ଭାଗ ନେଇଥିଲେ। ସେଥିରୁ ୧୨୧ ଜଣ ନିଯୁକ୍ତି ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅବଶିଷ୍ଟ ୫ ଜଣଙ୍କ ମଧ୍ୟରୁ ତିନି ଜଣ ଉଦ୍ୟମିତାକୁ ଚୟନ କରିଥିବା ବେଳେ ଦୁଇ ଜଣ ନିଜ ପରିବାର ବ୍ୟବସାୟରେ ଯୋଗ ଦେଇଛନ୍ତି।

ଅନ୍ୟ ପକ୍ଷରେ, ଆଇଆଇଟି-ବମ୍ବେରେ ମାତ୍ର ୭୫ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି। ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିନାହିଁ। ଛାତ୍ରଛାତ୍ରୀଙ୍କୁ ମିଳିଥିବା ସର୍ବନିମ୍ନ ବାର୍ଷିକ ଦରମା ୪ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଗତବର୍ଷ ତାହା ୬ ଲକ୍ଷ ଟଙ୍କା ଥିଲା। ଚଳିତ ବର୍ଷର କ୍ୟାମ୍ପସ୍‌ ପ୍ଲେସମେଣ୍ଟରେ ୧୯୭୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେଥିରୁ ୧୪୭୫ ଜଣଙ୍କୁ ଚାକିରି ମିଳିଛି। ୭୮ ଜଣ ଛାତ୍ରଛାତ୍ରୀଙ୍କୁ ବିଦେଶୀ କମ୍ପାନିରୁ ଚାକିରି ମିଳିଛି। ୨୨ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ଦରମା ପ୍ରସ୍ତାବ ଦିଆଯାଇଛି। ୫୫୮ ଜଣଙ୍କୁ ବାର୍ଷିକ ହାରାହାରି ୨୦ ଲକ୍ଷ ଟଙ୍କାର ଦରମା ମିଳିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୪-୬ ଲକ୍ଷ ଟଙ୍କାର ଦରମା ପ୍ରସ୍ତାବ ମିଳିଛି।