ବ୍ୟାଙ୍କରେ ବିକ୍ରି ହେବ ସ୍ୱଳ୍ପ ସଞ୍ଚୟ ସ୍କିମ୍‌

ନୂଆଦିଲ୍ଲୀ,: ଲୋକମାନଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବିଭିନ୍ନ ପ୍ରକାର ସ୍ୱଳ୍ପ ସଞ୍ଚୟ ସ୍କିମ୍‌ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ଠାରୁ ଆରମ୍ଭ କରି ରିକରିଂ ଡିପୋଜିଟ୍‌ (ଆର୍‌ଡି ଜମା) ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସ୍ୱଳ୍ପ ସଞ୍ଚୟ ସ୍କିମ୍‌କୁ ବିକ୍ରି କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଉଭୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କରେ ଏହି ସ୍ୱଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକ ବିକ୍ରି ପାଇଁ ଉପଲବ୍ଧ ହେବ। ପୂର୍ବରୁ ଏହି ସବୁ ସ୍କିମ୍‌ କେବଳ ଡାକ ଘର ଜରିଆରେ ବିକ୍ରି କରାଯାଉଥିଲା। ବ୍ୟାଙ୍କରେ ଏଗୁଡ଼ିକ ଉପଲବ୍ଧ ହେବା ପରେ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ର ବିକ୍ରି ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ତିନି ପ୍ରମୁଖ ଘରୋଇ ବ୍ୟାଙ୍କ-ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଆକ୍ସିସ୍‌ ବ୍ୟାଙ୍କରେ ସ୍ୱଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକ ଉପଲବ୍ଧ ହେବ। ଏବେ ସୁଦ୍ଧା ବ୍ୟାଙ୍କଗୁଡ଼ିକ କେବଳ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌), ସୁକନ୍ୟା ସମୃଦ୍ଧି ଯୋଜନା, କିସାନ ବିକାଶ ପତ୍ର ଏବଂ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌-୨୦୦୪ ବିକ୍ରି କରୁଥିଲେ। ବ୍ୟାଙ୍କରେ ବିକ୍ରି ହେଉଥିବା ଅଧିକାଂଶ ସ୍କିମ୍‌ ଉପରେ ବାର୍ଷିକ ୭-୮% ସୁଧ ମିଳୁଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୩% ସୁଧ ମିଳୁଛି। ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ରେ ମଧ୍ୟ ୮.୩% ସୁଧ ମିଳୁଛି।

ସମ୍ବନ୍ଧିତ ଖବର