ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧ ହ୍ରାସ, ପିପିଏଫ୍ ସୁଧ ୪୬ ବର୍ଷ‌ରେ ସବୁଠୁ କମ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ବଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକର ସୁଧରେ ହ୍ରାସ ଘୋଷଣା କରିଛନ୍ତି। ସୁଧ ବିଗତ କିଛି ଦଶନ୍ଧୀର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ସର୍କୁଲାର ଅନୁଯାୟୀ, ସ୍ବଳ୍ପ ସଞ୍ଚୟ ସ୍କିମ୍‌ଗୁଡ଼ିକର ସୁଧରେ ୦.୫-୧% ଭଳି ହ୍ରାସ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଅର୍ଥାତ ୨୦୨୧ର ଏପ୍ରିଲ୍‌-ଜୁନ୍ ମଧ୍ୟରେ ଏହି ସୁଧ ମିଳିବ। ଏପ୍ରିଲ୍ ପହିଲାରୁ ଏହା ଲାଗୁ ହେବ। ପବ୍ଲିକ୍ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍) ଉପରେ ୬.୪% ସୁଧ ମିଳିବ। ପୂର୍ବରୁ ଏଥିରେ ୭.୧% ସୁଧ ମିଳୁଥିଲା। ପିପିଏଫ୍ ସୁଧ ୪୬ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ସେହିପରି ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (ଏନ୍‌ଏସ୍‌ସି)ର ସୁଧ ୬.୮%ରୁ ହ୍ରାସ ପାଇ ୫.୯% ହୋଇଛି। ସୁକନ୍ୟା ସମୃଦ୍ଧି ଯୋଜନା ଯେଉଁଥିରେ ସର୍ବାଧିକ ସୁଧ ମିଳୁଥିଲା ତାହାର ସୁଧ ହାର ମଧ୍ୟ ୭.୬%ରୁ ହ୍ରାସ ପାଇ ୬.୯% ହୋଇଛି। ଡାକ ଘରେ ରଖାଯାଉଥିବା ବିଭିନ୍ନ ଅବଧିର ମିଆଦୀ ଜମା ଉପରେ ସୁଧ ୦.୪-୧% ମଧ୍ୟରେ ହ୍ରାସ ପାଇଛି। ଏହି ଜମାଗୁଡ଼ିକ ଉପରେ ୪.୪%ରୁ ୫.୩% ଭଳି ସୁଧ ମିଳିବ।

ଗତ ବର୍ଷକ ଭିତରେ କେନ୍ଦ୍ର ସରକାର ଦ୍ବିତୀୟ ଥର ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହ୍ରାସ କରିଛନ୍ତି। ୨୦୨୦-୨୧ର ଏପ୍ରିଲ୍-ଜୁନ୍ ତ୍ରୟମାସ ପାଇଁ ସୁଧ ହାରରେ ୦.୭୦%ରୁ ୧.୪% ଭଳି ହ୍ରାସ କରାଯାଇଥିଲା। ଏବେ ପୁଣି ଥରେ ସେଥିରେ ହ୍ରାସ କରାଯାଇଥିବାରୁ ବିଗତ ୧୨ ମାସ ଭିତରେ ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧ ମୋଟ ଉପରେ ୧.୨%ରୁ ୨.୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ୧୦ ବର୍ଷିଆ ସରକାରୀ ସିକ୍ୟୁରିଟିର ୟିଲଡ୍‌ ହ୍ରାସ ପାଉଥିବାରୁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ ସୁଧ କମୁଛି। ଶ୍ୟାମଳା ଗୋପୀନାଥ କମିଟି କରିଥିବା ସୁପାରିସ ଅନୁସାରେ ସରକାରୀ ସିକ୍ୟୁରିଟିର ୟିଲଡ୍‌ ଠାରୁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ୦.୨୫-୧% ଅଧିକ ରହିବ।

ସମ୍ବନ୍ଧିତ ଖବର