ନ୍ୟୂନତମ ଆୟ ଯୋଜନା କେତେ ବାସ୍ତବ?

ଜାତୀୟ ସ୍ତରରେ ଆୟ ତଥ୍ୟ ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗତକାଲି ଦେଶରୁ ଗରିବ ହଟାଇବା ପାଇଁ ଏକ ନ୍ୟୂନତମ ଆୟ ଯୋଜନା (ନ୍ୟାୟ) ଘୋଷଣା କରିଛନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଅର୍ଥାତ୍ ବର୍ଷକୁ ୭୨ ହଜାର ଟଙ୍କା ଗୋଟିଏ ଗରିବ ପରିବାରକୁ ମିଳିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ରଘୁରାମ ରାଜନଙ୍କ ସମେତ ଅନେକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞଙ୍କ ମତ ନିଆଯିବା ଏବଂ ଦୀର୍ଘ ୬ ମାସ ଧରି ଏହା ଉପରେ ବିଚାର ବିମର୍ଶ କରାଯିବା ପରେ ଏହି ଯୋଜନା ପ୍ରସ୍ତୁତ ହୋଇଛି। ରାହୁଲଙ୍କ ଏହି ପ୍ରତିଶ୍ରୁତି‌ ପରେ ଦେଶରେ ଆରମ୍ଭ ହୋଇଯାଇଛି ବିତର୍କ ଏବଂ ଚର୍ଚା। ଭାରତ ଭଳି ଏତେ ବଡ଼ ଦେଶରେ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ଏବଂ ପାଣ୍ଠି କେଉଁଠୁ ଆସିିବ ତାହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ମାସକୁ ୧୨ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର ଗୁଡ଼ିକୁ ନ୍ୟାୟ ଯୋଜନାରେ ସହାୟତା ମିଳିବ ବୋଲି କଂଗ୍ରେସ ଦଳ କହିଛି। ଅର୍ଥାତ୍ ଦେଶରେ ଏଭଳି କୌଣସି ପରିବାର ରହିବ ନାହିଁ ଯାହାର ମାସିକ ଆୟ ୧୨ ହଜାର ଟଙ୍କାରୁ କମ୍ ରହିବ। ଏହାଦ୍ବାରା ଦେଶର ୨୦ ପ୍ରତିଶତ ବା ୫ କୋଟି ପରିବାର ବା ୨୫ କୋଟି ଗରିବ ଲୋକ ଉପକୃତ ହେବେ। ସାମାଜିକ ନ୍ୟାୟ ପାଇଁ ଏହି ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ସମ୍ବଳ କିଭଳି ସଂଗ୍ରହ ହେଉଛି ଏବଂ ହିତାଧିକାରୀ କେମିତି ଚୟନ ହେଉଛନ୍ତି ତାହା ଉପରେ ଏହି ଯୋଜନାର ସଫଳତା ନିର୍ଭର କରୁଛି ବୋଲି ଅର୍ଥନୀତିଜ୍ଞ ଜିନ୍ ଡ୍ରେଜେ କହିଛନ୍ତି। ରାଜକୋଷ ଉପରେ ଏହା ବୋଝ ପକାଇଲେ ମଧ୍ୟ ଏହା ଏକ ଭଲ ଯୋଜନା ବୋଲି କହିଛନ୍ତି ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ସୟେଦା ହମିଦ । ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଅଭି‌ଜିତ ସେନ ମଧ୍ୟ କାର୍ଯ୍ୟକାରିତାରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି।

ଜାତୀୟ ସ୍ତରରେ ପରିବାର ଗୁଡ଼ିକର ଆୟ ତଥ୍ୟ ନାହିଁ। ଏହି ତଥ୍ୟ ରାଜ୍ୟ ସ୍ତରରେ ରହିଛି। ରାଜ୍ୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ଏହି ତଥ୍ୟ ପ୍ରସ୍ତୁତ କରାଯାଇଥାଏ। ପରେ ଏହାକୁ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁଧ୍ୟାନ କରିଥାଏ ବୋଲି ଅର୍ଥନୀତିଜ୍ଞ ଅମିତାଭ କୁଣ୍ଡୁ କହିଛନ୍ତି। ସେ କୁହନ୍ତି ଲୋକମାନେ ସାଧାରଣତଃ ସେମାନଙ୍କ ଆୟକୁ କମ୍ ଦର୍ଶାଇଥାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏଭଳି ଯୁକ୍ତିକୁ ଖଣ୍ଡନ କରାଯାଇଛି। କଂଗ୍ରେସର ଡାଟା ଆନାଲିଟିକ୍ସ ବିଭାଗର ଅଧ୍ୟକ୍ଷ ପ୍ରବୀଣ ଦଳ ପକ୍ଷରୁ କୁହାଯାଇଛି ତାହେଲେ ଆୟ ବୈଷମ୍ୟ ସମ୍ପର୍କରେ କିଭଳି ତଥ୍ୟ ମିଳୁଛି? ସିଏମଆଇଇ( ସେଣ୍ଟର ଫର୍ ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି) ଅଛି, ଏସଇସିସି ତଥ୍ୟ ଅଛି ବୋଲି ସେ କହିଛନ୍ତି। ଆୟ ତଥ୍ୟ ନଥିବା କହିବା ହାସ୍ୟାସ୍ପଦ ବୋଲି ସେ ମତ ଦେଇଛନ୍ତି।

ସମ୍ବଳକୁ ନେଇ ବିତର୍କ
ଏହି ଯୋଜନା ପାଇଁ ସମ୍ବଳ ଅଛି ବୋଲି କଂଗ୍ରେସ ସଭାପତି କହିଛନ୍ତି। କିନ୍ତୁ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଅନେକଙ୍କ କହିବାନୁଯାୟୀ, ସରକାରଙ୍କ ଖର୍ଚ ଓ ଋଣ ଆଦି ବିତ୍ତୀୟ ଶୃଙ୍ଖଳା ଓ ବଜେଟ ପରିଚାଳନା ଆଇନ ୨୦୦୩ ଅନୁଯାୟୀ ହେବା ଆବଶ୍ୟକ। ୨୦୧୯-୨୦ରେ ଏ ବାବଦରେ ୨ ଲକ୍ଷ ‌୨୦ ହଜାର କୋଟି ଟଙ୍କା ଖର୍ଚ କରିବାକୁ ପଡ଼ିବ। ପରେ ଏହା ଜିଡିପିର ପ୍ରାୟ ୧.୭%କୁ ଅର୍ଥାତ୍ ୩ ଲକ୍ଷ ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। କିନ୍ତୁ ସମ୍ପତ୍ତି ଟିକସ ଏବଂ ଉତ୍ତରାଧିକାର ଟିକସକୁ ଲାଗୁ କରି ଏହାକୁ କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ଆଇଏସଆଇର ଅର୍ଥନୀତିଜ୍ଞ ଗୁରବଚନ ସିଂହ କହିଛନ୍ତି।
ସବସିଡିକୁ କାଟଛାଣ୍ଟ କରିବାକୁ ପଡ଼ିବ
ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ଦେଶରେ ଏବେ ଗରିବ ଲୋକଙ୍କୁ ପ୍ରଦାନ କରାଯାଉଥିବା ସବସିଡିକୁ କାଟଛାଣ୍ଟ କରିବାକୁ ହେବ। ଏହା ନକରିଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ବହୁତ ବଢ଼ିଯିବ। ବିଶେଷଜ୍ଞମାନେ ଏହା ମଧ୍ୟ କହୁଛନ୍ତି ଯେ, ଯଦି ଲୋକଙ୍କୁ ଏହି ଯୋଜନାରେ ଅର୍ଥ ପ୍ରଦାନ କରାଯାଏ ତାହେଲେ ଦେଶରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର