ନୂଆଦିଲ୍ଲୀ: ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (ଏନ୍ଏସ୍ସି) ଓ ପିପିଏଫ୍ ଭଳି ସ୍ୱଳ୍ପ ସଞ୍ଚୟ ସ୍କିମ୍ର ସୁଧ ହାରରେ ୦.୨୦% ହ୍ରାସ କରାଯାଇଛି। ଜାନୁଆରି-ମାର୍ଚ ଅବଧି ପାଇଁ ସୁଧ ହାରରେ ସରକାର ଏହି ପରିବର୍ତନ ଆଣିଛନ୍ତି। ସେହି ସମୟରେ ପାଞ୍ଚ ବର୍ଷିଆ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ର ସୁଧ ହାରକୁ ୮.୩%ରେ ଅପରିବର୍ତିତ ରଖାଯାଇଛି। ଏହି ସ୍କିମ୍ରେ ସୁଧ ହାର ପ୍ରତି ତିନି ମାସରେ ଥରେ ଲେଖାଏଁ ପ୍ରଦାନ କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏନ୍ଏସ୍ସି, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍, ପିପିଏଫ୍ ଏବଂ କିସାନ ବିକାଶ ପତ୍ର ଆଦି ଉପରେ ସୁଧ ହାର ହ୍ରାସ କରାଯାଇଛି। ମାତ୍ର ସଞ୍ଚୟ ଜମା ଉପରେ ସୁଧ ହାରକୁ ୪%ରେ ଅପରିବର୍ତିତ ରଖାଯାଇଛି। ଚଳିତ ବର୍ଷ ଏପ୍ରିଲ୍ ପରଠାରୁ ପ୍ରତି ତିନି ମାସରେ ଥରେ ଲେଖାଏଁ ସ୍ୱଳ୍ପ ସଞ୍ଚୟ ସ୍କିମ୍ର ସୁଧ ହାରରେ ସଂଶୋଧନ କରାଯାଉଛି। ଆଗାମୀ ଦିନରେ ପିପିଏଫ୍ ଉପରେ ୭.୬%, କେଭିପି ଉପରେ ୭.୩% ସୁଧ ମିଳିବ। ସେହିପରି ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍ରେ ୮.୩% ବଦଳରେ ୮.୧% ସୁଧ ମିଳିବ। ଏକରୁ ପାଞ୍ଚ ବର୍ଷିଆ ମିଆଦୀ ଜମା ଉପରେ ୬.୬-୭.୪%ର ସୁଧ ମିଳିବ। ପାଞ୍ଚ ବର୍ଷିଆ ଆର୍ଡି ଉପରେ ୬.୯%ର ସୁଧ ମିଳିବ। ସ୍ୱଳ୍ପ ସଞ୍ଚୟ ସ୍କିମ୍ର ସୁଧ ହାର କମ କରାଯାଇଥିବାରୁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଜମା ସୁଧ ହାର ହ୍ରାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
ସ୍ୱଳ୍ପ ସଂଚୟ ସ୍କିମ୍ ସୁଧ କମିଲା
/sambad/media/post_attachments/wp-content/uploads/2017/12/hqdefault-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)