ଏଲ୍‌ପିଜି, ବିମାନ ଇନ୍ଧନ ଦାମ୍ ବଢ଼ିଲା; ଏଲ୍‌ପିଜି ଦାମ୍‌ରେ ୧୧ ଟଙ୍କା ୫୦ ପଇସା ବୃଦ୍ଧି

ବିମାନ ଇନ୍ଧନ ୫୬ ପ୍ରତିଶତ ମହଙ୍ଗା

ନୂଆଦିଲ୍ଲୀ: ଜୁନ୍ ମାସ ଆରମ୍ଭରୁ ମହଙ୍ଗା ମାଡ଼। ଗୋଟିଏ ଦିନରେ ଏଲ୍‌ପିଜି ଓ ବିମାନ ଇନ୍ଧନ ଦାମ୍‌ରେ ବୃଦ୍ଧି ଘୋଷଣା କରାଯାଇଛି। ବିନା ରିହାତିରେ ବିକ୍ରି କରାଯାଉଥିବା ଏଲ୍‌ପିଜି ସିଲିଣ୍ଡର୍‌ ଦାମ୍ ୧୧ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ୧୪.୨ କେଜି ସିଲିଣ୍ଡରର ଦାମ୍ ୫୯୩ ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ କ୍ରମାଗତ ତିନି ହ୍ରାସ ସହିତ ଏଲ୍‌ପିଜି ଦାମ୍ ୨୭୭ ଟଙ୍କା କମ୍ ହୋଇଥିଲା। କିନ୍ତୁ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କ୍ରମାଗତ ୭୮ତମ ଦିନ ପାଇଁ ଏହି ଦୁଇ ଇନ୍ଧନର ଦାମ୍ ଅପରିବର୍ତିତ ରହିଛି। ବିମାନ ଇନ୍ଧନ ଦାମ୍‌ରେ କିଲୋଲିଟର ପିଛା ୧୨,୧୨୬ ଟଙ୍କା ବୃଦ୍ଧି ହୋଇଛି। କରୋନା ସଙ୍କଟ ପ୍ରଭାବରେ ବିମାନ କଂପାନିଗୁଡ଼ିକର ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ବିମାନ ଇନ୍ଧନ ଦରରେ ଥ‌ରକେ ୫୬.୫ ପ୍ରତିଶତ ବୃଦ୍ଧି ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ବିଗାଡ଼ିବ ବୋଲି କୁହାଯାଉଛି। ଏହି ଦରବୃଦ୍ଧି ପରେ ବିମାନ ଇନ୍ଧନର କିଲୋଲିଟର ପିଛା ଦାମ୍ ୩୩,୫୭୩ ଟଙ୍କା ୩୭ ପଇସାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ଫେବ୍ରୁଆରି ପରଠାରୁ କ୍ରମାଗତ ସାତ ଥର ଦାମ୍‌ରେ ହ୍ରାସ କରାଯାଇଛି। ଗତ ଫେବ୍ରୁଆରିରେ ବିମାନ ଇନ୍ଧନର କିଲୋଲିଟର ପିଛା ଦାମ୍ ୬୪,୩୨୩ ଟଙ୍କା ୭୬ ପଇସା ଥିଲା। କ୍ରମାଗତ ଭାବେ ଦର ହ୍ରାସ ହେବା ସହ ଗତ ମାସରେ ଏହାର ମୂଲ୍ୟ ୨୧,୪୪୮ ଟଙ୍କା ୬୨ ପଇସାକୁ ହ୍ରାସ ପାଇଥିଲା।

ପ୍ରଚଳିତ ନିୟମ ଅନୁସାରେ ପ୍ରତି ମାସର ଏକ ତାରିଖ ଓ ୧୬ ତାରିଖରେ ବିମାନ ଇନ୍ଧନ ଦାମ୍‌ ସଂଶୋଧନ କରାଯାଉଛି। ମାସକୁ ଥରେ ଏଲ୍‌ପିଜି ଦାମ୍ ପରିବର୍ତ୍ତନ କରାଯାଉଥିବା ବେଳେ ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଜାରି କରାଯାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ବିଭିନ୍ନ ପ୍ରକାର ଇନ୍ଧନର ଦର ସଂଶୋଧନ କରାଯାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିଯିବା ପରଠାରୁ ସରକାର ଦୁଇ ଥର ଟିକସ ବଢ଼ାଇସାରିଲେଣି। ପ୍ରଥମେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ର ଉତ୍ପାଦନ ଶୁଳ୍କ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ାଇଥିଲେ। ଏହା ପରେ ଗତ ମାସ ୬ ତାରିଖରେ ଗୋଟିଏ ଥରରେ ପେଟ୍ରୋଲ ଉପରେ ଟିକସ ୧୦ ଟଙ୍କା ଏବଂ ଡିଜେଲ୍ ଉପରେ ୧୩ ଟଙ୍କା ବଢ଼ାଇଥିଲେ। କିନ୍ତୁ ଟିକସ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିନଥିଲା। ଗତ ଏପ୍ରିଲ୍‌ ୧ରୁ ଦେଶରେ ବିଏସ୍‌-୬ ମାନର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଆରମ୍ଭ ହୋଇଥିଲା। ବିଏସ୍‌-୪ ତେଲ ତୁଳନାରେ ବିଏସ୍‌-୬ ତେଲର ଦାମ୍ ଲିଟର ପିଛା ୧ ଟଙ୍କା ଅଧିକ ଥିଲେ ମଧ୍ୟ କଂପାନିଗୁଡ଼ିକ ଦର ବୃଦ୍ଧି କରିନଥିଲେ।

ସମ୍ବନ୍ଧିତ ଖବର