ନିର୍ବାଚନ ପରେ ମହଙ୍ଗା ମାଡ଼ : ୬ ବର୍ଷ ପରେ ଥରକେ ଏଲ୍‌ପିଜି ଦାମ୍ ୧୪୪ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ‌ତୈଳ କଂପାନିଗୁଡ଼ିକ ଏଲ୍‌ପିଜି ଦାମ୍‌ରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। ୧୪.୨ କେଜିଆ ଅଣ ସବ୍‌ସିଡି ଏଲ୍‌ପିଜିର ସିଲିଣ୍ଡର ପିଛା ଦାମ୍ ଏକକାଳୀନ ୧୪୪ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଏଭଳି ବଡ଼ ଧରଣର ବୃଦ୍ଧି ଶେଷ ଥର ପାଇଁ ଛଅ ବର୍ଷ ପୂର୍ବେ ୨୦୧୪ ଜାନୁଆରିରେ ଦେଖିବାକୁ ମିଳିଥିଲା। ଭାରତୀୟ ତୈଳ ନିଗମ ଅନୁଯାୟୀ, ଏହି ଦରବୃଦ୍ଧି ପରେ ଦିଲ୍ଲୀରେ ସିଲିଣ୍ଡର୍‌ ପିଛା ଦାମ୍ ୮୫୮ ଟଙ୍କା ୫୦ ପଇସା, କୋଲକାତାରେ ୮୯୬ ଟଙ୍କା, ମୁମ୍ବାଇରେ ୮୨୯ ଟଙ୍କା ଓ ଚେନ୍ନାଇରେ ୮୮୧ ଟଙ୍କାକୁ ବୃଦ୍ଧି ପାଇଛି। ତେଲ କଂପାନିଗୁଡ଼ିକ ଏଲ୍‌ପିଜି ଦାମ୍‌ରେ ପ୍ରତି ମାସର ପ୍ରଥମ ଦିନରେ ଅଳ୍ପ ପରିମାଣର ବୃଦ୍ଧି କରୁଥିଲେ। ନିକଟ ଅତୀତରେ ଚଳିତ ବର୍ଷ ଜାନୁଆରି ୧ରେ ଦରରେ ସଂଶୋଧନ ହୋଇଥିଲା। ଏହା ପୂର୍ବରୁ ଗତ ‌ସେପ୍ଟେମ୍ବର ଠାରୁ ଏଲ୍‌ପିଜି ଦାମ୍‌ରେ ୬ ଥର ବୃଦ୍ଧି ହୋଇସାରିଛି। ଭାରତରେ ନିର୍ବାଚନ ସହିତ ପେଟ୍ରୋଲ୍‌, ଡିଜେଲ୍ ଓ ଗ୍ୟାସ୍‌ ଦାମ୍‌ର ବହୁତ ନିବିଡ଼ ସମ୍ପର୍କ ରହିଛି। ନିର୍ବାଚନ ଆସିଥିଲେ ଏହି ସବୁ ସାମଗ୍ରୀର ଦର ବୃଦ୍ଧି ଅଟକିଯାଏ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଦର ବୃଦ୍ଧି ଆରମ୍ଭ ହୋଇଯାଏ। ଚଳିତ ବର୍ଷର ସାଧାରଣ ନିର୍ବାଚନ ବେଳେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମେ’ ୧୯ରେ ନିର୍ବାଚନ ଶେଷ ହେବା ମାତ୍ରେ ତେଲ କଂପାନିଗୁଡ଼ିକ ପେ‌ଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ବୃଦ୍ଧିର ଧାରା ଆରମ୍ଭ କରିଦେଇଥିଲେ। କର୍ଣ୍ଣାଟକ ନିର୍ବାଚନ ସମୟରେ ମଧ୍ୟ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ୍ ଦାମ୍‌ରେ ବୃଦ୍ଧିକୁ ସମ୍ପୂର୍ଣ୍ଣ ଅଟକାଇ ଦେଇଥିଲେ। ଭାରତରେ ତୈଳ ଦର ନିର୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇସାରିଛି। ଅଶୋଧିତ ତେଲ ଦାମ୍ ଓ ଡଲାର ମୂଲ୍ୟ ଭଳି ଦୁଇଟି ପ୍ରମୁଖ ବିଷୟକୁ ବିଚାରକୁ ନେଇ କଂପାନିଗୁଡ଼ିକ ଏବେ ନିଜେ ଦର ନିର୍ଧାରଣ କରୁଛନ୍ତି।

ଦରଦାମ୍ ବଢ଼ିଲା, ଶିଳ୍ପ ଉତ୍ପାଦନ ପୁଣି କମିଲା
ନୂଆଦିଲ୍ଲୀ : ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ଅନୁମାନ କରାଯାଉଥିବା ଭାରତୀୟ ଅର୍ଥନୀତିକୁ ଆଜି ଦୋହରା ଧକ୍କା ଲାଗିଛି। ଜାନୁଆରି ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୫୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିବା ବେଳେ ଗତ ଡିସେମ୍ବରରେ ଶିଳ୍ପ କାରଖାନାରେ ଉତ୍ପାଦନ ୦.୩ ପ୍ରତିଶତ ହ୍ରାସ ପାଇଛି। ଶେଷ ଥର ପାଇଁ ୨୦୧୪ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୮.୩୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ଏହି ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାର ଅର୍ଥ ହେଉଛି ଖୁଚୁରା ବଜାରରେ ବିକ୍ରି ହେଉଥିବା ଜରୁରୀ ସାମଗ୍ରୀ ଯଥା ପନିପରିବା ଓ ଖାଦ୍ୟ ସାମଗ୍ରୀ ଦର ବଢ଼ୁଛି।

ସମ୍ବନ୍ଧିତ ଖବର