ଭାରତରେ ଏଲ୍‌ପିଜି ସର୍ବାଧିକ ମହଙ୍ଗା: ପେଟ୍ରୋଲ୍ ତୃତୀୟ, ଡିଜେଲ ଅଷ୍ଟମ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ଏଲ୍‌ପିଜି ଦାମ୍ ସାରା ବିଶ୍ବରେ ସବୁଠୁ ମହଙ୍ଗା। ବିନିମୟ ମୁଦ୍ରା ଆଧାରିତ କ୍ରୟ ଶକ୍ତି ଅନୁସାରେ କରାଯାଇଥିବା ଏକ ହିସାବରୁ ଏହା ଜଣାପଡ଼ିଛି। ପ୍ରତି ଲିଟର ଏଲ୍‌ପିଜିର ଦାମ୍ ଭାରତରେ ସର୍ବାଧିକ ଥିବା ବେଳେ ପେଟ୍ରୋଲ୍ ତୃତୀୟ ସର୍ବାଧିକ ଓ ଡିଜେଲ ଅଷ୍ଟମ ସର୍ବାଧିକ ମହଙ୍ଗା ରହିଛି। ଯଦି ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୨୦ ଟଙ୍କା ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୫ ଟଙ୍କା ୮୪ ପଇସା ବୋଲି ଧରି ନିଆଯିବ ତେବେ ଆନ୍ତର୍ଜାତିକ ବଜାରରେ ସେହି ପେଟ୍ରୋଲ୍‌ ଦାମ୍ ହେବ ୧.୫୮ ଡଲାର। ଭାରତରେ ଜଣେ ବ୍ୟକ୍ତି ୭୫ ଟଙ୍କା ୮୪ ରେ ବହୁତ କିଛି କିଣିପାରିବେ। କିନ୍ତୁ ଆମେରିକାରେ ଏକ ଡଲାରରେ ସେତିକି ଜିନିଷ କିଣିହେବ ନାହିଁ। କାରଣ ଆମେରିକାରେ ଏକ କିଲୋ ଆଳୁର ଦାମ୍ ୧.୯୪ ଡଲାର ରହିଛି ଯାହାକୁ ଭାରତୀୟ ମୁଦ୍ରାରେ ବଦଳାଇଲେ ୧୪୭ ଟଙ୍କା ହେବ। ୧୪୭ ଟଙ୍କାରେ ଭାରତରେ ୭ କିଲୋ ଆଳୁ କିଣିହେବ। ବିଭିନ୍ନ ଦେଶର ମୁଦ୍ରାର କ୍ରୟ ଶକ୍ତି ଭିନ୍ନ ଭିନ୍ନ ରହୁଛି। ତାହାକୁ କ୍ରୟ ଶକ୍ତି ସମତା (ପିପିପି) ଡଲାର ବା ଆନ୍ତର୍ଜାତିକ ଡଲାର କୁହାଯାଉଛି।

ଆଇଏମ୍ଏଫ୍‌ ତଥ୍ୟ ଅନୁସାରେ ଆନ୍ତର୍ଜାତିକ ଡଲାର ଦାମ୍ ୨୦୨୨‌ରେ ହାରାହାରି ୨୨ ଟଙ୍କା ୬୦ ପଇସା ରହିଛି। ଯଦି ସେହି ମୂଲ୍ୟ ବିଚାରକୁ ନିଆ‌ଯିବ ତେବେ ଭାରତରେ ଏକ ଲିଟର ପେଟ୍ରୋଲ୍ ଦାମ୍ ହେଉଛି ୫.୨ ଆନ୍ତର୍ଜାତିକ ଡଲାର। ସୁଦାନ (୮ ଆନ୍ତର୍ଜାତିକ ଡଲାର) ଓ ଲାଓସ୍‌ (୫.୬ ଆନ୍ତର୍ଜାତିକ ଡଲାର) ତୁଳନାରେ ଭାରତରେ ପେଟ୍ରୋଲ୍‌ ତୃତୀୟ ସର୍ବାଧିକ ଦାମ୍‌ରେ ବିକ୍ରି ହେଉଛି। ଆମେରିକାରେ ପେଟ୍ରୋଲ୍‌ ଦାମ୍ ୧.୨ ଆନ୍ତର୍ଜାତିକ ଡଲାର ଥିବା ବେଳେ ଜାପାନରେ ୧.୫ ଡଲାର, ଜର୍ମାନିରେ ୨.୫ ଡଲାର ଓ ସ୍ପେନ୍‌ରେ ୨.୭ ଡଲାର ରହିଛି। ଏହି ହିସାବ ଅନୁସାରେ ଭାରତରେ ବିକ୍ରି ହେଉଥିବା ପ୍ରତି ଲିଟର ଏଲ୍‌ପିଜି ଦାମ୍ ହେଉଛି ୩.୫ ଆନ୍ତର୍ଜାତିକ ଡଲାର ଯାହା ସାରା ବିଶ୍ବରେ ସର୍ବାଧିକ। ଭାରତ ପଛକୁ ଦାମ୍ ଅନୁସାରେ ରହିଛନ୍ତି ତୁର୍କୀ, ଫିଜି, ମାଲ୍‌ଡୋଭା ଓ ୟୁ‌କ୍ରେନ। ଏହା ତୁଳନାରେ ସ୍ବିଜରଲ୍ୟାଣ୍ଡ୍‌, ଫ୍ରାନ୍ସ, କାନାଡା ଓ ବ୍ରିଟେନ୍‌ରେ ଦାମ୍ ୧ ଆନ୍ତର୍ଜାତିକ ଡଲାର ରହିଛି। ଭାରତରେ ଏବେ ‌ଯେଉଁ ଦାମ୍‌ରେ ଡିଜେଲ୍ ବିକ୍ରି ହେଉଛି ତାହାର ଦାମ୍ ହେବ ୪.୬ ଆନ୍ତର୍ଜାତିକ ଡଲାର। ତାହା ହେଉଛି ସାରା ବିଶ୍ବରେ ଡିଜେଲ୍‌ର ଅଷ୍ଟମ ସର୍ବାଧିକ ଦାମ୍।

ସମ୍ବନ୍ଧିତ ଖବର