ଏଲ୍‌ପିଜି ଦର ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଡିଲର କମିସନ ବୃଦ୍ଧି ଫଳରେ ଦେଶରେ ଏଲପିଜି ଦର ବୃଦ୍ଧି ଘଟିଛି। ୧୪.୨ କିଗ୍ରା ବିଶିଷ୍ଟ ଏଲ୍‌ପିଜି ଦରରେ ୨ ଟଙ୍କାରୁ ଊର୍ଦ୍ଧ୍ବ ବୃଦ୍ଧି ଘଟିଛି। ଏଥିଯୋଗୁ ଏଲପିଜି ଦର ଦିଲ୍ଲୀରେ ସିଲିଣ୍ଡର ପିଛା ୫୦୫ ଟଙ୍କା ୩୪ ପଇସା ଥିବା ବେଳେ ଏବେ ଏହା ୫୦୭ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଡିଲର କମିସନ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ପରେ ଦେଶରେ ଏଲପିଜି ଦର ବୃଦ୍ଧି ଘଟିଛି। ଏଲ୍‌ପିଜି ବିତରକମାନଙ୍କୁ ୧୪.୨ କିଗ୍ରା ବିଶିଷ୍ଟ ସିଲିଣ୍ଡର ଉପରେ ୪୮ ଟଙ୍କା ୮୯ ପଇସା ଓ ୫ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଉପରେ ୨୪ ଟଙ୍କା ୨୦ ପଇସାର କମିସନ ଦେବାକୁ ୨୦୧୭ ସେପ୍ଟେମ୍ବରରେ ସ୍ଥିର ହୋଇଥିଲା। ପରିବହନ ଖର୍ଚ୍ଚ ଓ ମଜୁରି ଆଦିକୁ ବିଚାରକୁ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ବର୍ତ୍ତମାନ ଡିଲର କମିସନ ବୃଦ୍ଧି ଲାଗି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ୧୪.୨ କିଗ୍ରା ବିଶିଷ୍ଟ ଏଲ୍‌ପିଜିର ଡିଲର କମିସନ ୫୦ ଟଙ୍କା ୫୮ ପଇସାକୁ ଓ ୫ କିଗ୍ରା ବିଶିଷ୍ଟ ଏଲପିଜିର ଡିଲର କମିସନ ୨୫ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି। ଚଳିତମାସରେ ଦ୍ବିତୀୟ ଥର ପାଇଁ ଏଲ୍‌ପିଜି ଦର ବୃଦ୍ଧି ପାଇଛି। ଚଳିତମାସ ୧ ତାରିଖରେ ଏଲପିଜି ଦର ୨ ଟଙ୍କା ୯୪ ପଇସା ବୃଦ୍ଧି କରାଯାଇଥିଲା। ଗତ ଜୁନମାସଠାରୁ ଏଲପିଜି ବିତରଣକାରୀ କମ୍ପାନି ଗୁଡ଼ିକ ପ୍ରତିମାସରେ ବୃଦ୍ଧି କରି ଆସୁଛନ୍ତି। ଜୁନଠାରୁ ଇତିମଧ୍ୟରେ ଏଲପିଜି ଦର ୧୬ ଟଙ୍କା ୨୧ ପଇସା ବୃଦ୍ଧି ଘଟିଲାଣି। ମୁମ୍ବାଇରେ ଏଲପିଜି ଦର ୫୦୫ ଟଙ୍କା ୫ ପଇସାକୁ, କୋଲକାତାରେ ୫୧୦ ଟଙ୍କା ୭୦ ପଇସାକୁ ଏବଂ ଚେନ୍ନାଇରେ ୪୯୫ ଟଙ୍କା ୩୯ ପଇସାକୁ ବୃଦ୍ଧି ପାଇଛି। ସ୍ଥାନୀୟ ଟିକସ ଓ ପରିବହନ ଖର୍ଚ୍ଚ ବିଚାରକୁ ନେଲେ ଏଲ୍‌ପିଜି ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହୁଛି। ବର୍ତ୍ତମାନ ଡିଲର ମାନେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ଉପରେ ଯେଉଁ ୫୦ ଟଙ୍କା ୫୮ ପଇସାର କମିସନ ପାଇବେ ସେଥିରେ ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ୩୦ ଟଙ୍କା ୮ ପଇସା ହୋଇଥିବା ବେଳେ ଡେଲିଭରି ଚାର୍ଜ ୨୦ ଟଙ୍କା ୫୦ ପଇସା ରହିଛି। ସେହିଭଳି ୫ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଉପରେ ଡିଲରମାନେ ଏଷ୍ଟାବ୍ଲିସମେଣ୍ଟ ଚାର୍ଜ ବାବଦରେ ୧୫ ଟଙ୍କା ୪ ପଇସା ଓ ଡେଲିଭରି ଚାର୍ଜ ବାବଦରେ ୧୦ ଟଙ୍କା ୨୫ ପଇସା ପାଇବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଅଣସବସିଡିରେ ଗ୍ରାହକମାନେ କିଣୁଥିବା ୧୪.୨ କିଗ୍ରା ବିଶିଷ୍ଟ ଏଲ୍‌ପିଜି ଦର ଗତ ୧ ତାରିଖରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାର ମୂଲ୍ୟ ୯୩୯ ଟଙ୍କା ରହିଥିଲା। ଏବେ ଡିଲର କମିସନ ବୃଦ୍ଧି ଯୋଗୁ ଏହି ଦର ୯୪୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର