ଏଲ୍‌ପିଜି ଦାମ୍‌ ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍‌ ଏଲ୍‌ପିଜିର ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କାର ବୃଦ୍ଧି ଘଟିଛି। ଏହି ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୮୫୯ ଟଙ୍କାକୁ ବୃଦ୍ଧି ପାଇଛି। ଯେହେତୁ ଏବେ ଅତି ନଗଣ୍ୟ ପରିମାଣର ସବ୍‌ସିଡି ମିଳୁଛି ତେଣୁ ଏହାର ପାଖାପାଖି ଦାମ୍‌ରେ ହିଁ ଲୋକମାନଙ୍କୁ ସିଲିଣ୍ଡର କିଣିବାକୁ ପଡ଼ୁଛି। କ୍ରମାଗତ ଦ୍ବିତୀୟ ମାସ ଲାଗି ଏଲ୍‌ପିଜି ମହଙ୍ଗା ହୋଇଛି। ଗତ ଜୁନ୍‌ ୧ରେ ଏଲ୍‌ପିଜି ଦାମ୍‌ ୮୦୯ ଟଙ୍କା ଥିଲା। ଜୁଲାଇ ୧ରେ ତାହା ୮୩୪ ଟଙ୍କାକୁ ବୃଦ୍ଧି ପାଇଥିଲା।

ଚଳିତ ବର୍ଷ ଜାନୁଆରି ୧ରୁ ଅଗଷ୍ଟ ୧୭ ମଧ୍ୟରେ ଏଲ୍‌ପିଜି ମୂଲ୍ୟରେ ୧୬୫ ଟଙ୍କାର ବୃଦ୍ଧି ହୋଇଛି। ବଜାର ଉପରେ ନଜର ରଖିଥିବ‌ା ବିଶେଷଜ୍ଞମାନେ କହିଛନ୍ତି ଯେ ସଂସଦ ଅଧିବେଶନ ଚାଲିଥିବାରୁ ତେଲ କଂପାନିଗୁଡ଼ିକ ଅଗଷ୍ଟ ୧ରେ ଏଲ୍‌ପିଜି ଦାମ୍ ବଢ଼ାଇନଥିଲେ। ୨୦୨୦ ମେ’ ପରଠାରୁ ସବ୍‌ସିଡି ମୂଲ୍ୟ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ପରେ ଏହା ହେଉଛି ଏଲ୍‌ପିଜିର ସର୍ବୋଚ୍ଚ ଦର। ବର୍ତ୍ତମାନ ଏଲ୍‌ପିଜି ତୁଳନାରେ ଇଲେକ୍ଟ୍ରିକ୍ ଉପକରଣ ବ୍ୟବହାର କରି ରୋଷେଇ କରିବା ଶସ୍ତା ରହୁଛି ବୋଲି ମଧ୍ୟ କୁହାଯାଉଛି।ଦେଶର ଘରେ ଘରେ ଏଲ୍‌ପିଜି ସଂଯୋଗ ପହଞ୍ଚାଇବା ଲାଗି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ବଳା ଯୋଜନାର ଦ୍ବିତୀୟ ଭାଗକୁ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର