ଏଲ୍‌ପିଜି ଦେଢ଼ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏଲ୍‌ପିଜି ଦର ଦେଢ଼ ଟଙ୍କା ବୃଦ୍ଧି କରିଛନ୍ତି। ସବ୍‌ସିଡିରେ ମିଳୁଥିବା ୧୪.୨ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଦେଢ଼ ଟଙ୍କା ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଏହାର ମୂଲ୍ୟ ୪୮୭ ଟଙ୍କା ୧୮ ପଇସା ପରିବର୍ତ୍ତେ ୪୮୮ ଟଙ୍କା ୬୮ ପଇସାରେ ପହଞ୍ଚି ଯାଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏଲ୍‌ପିଜି ଉପରେ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ସମାପ୍ତ କରିବା ଲାଗି ସରକାର ମାସିକ ସିଲିଣ୍ଡର ପିଛା ଦର ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେବା ସହିତ ଏ ନେଇ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଉପରୋକ୍ତ ନିଷ୍ପତ୍ତି ଗତ ମେ ୩୦ ତାରିଖରେ ନେବା ପରଠାରୁ ଏଲ୍‌ପିଜି ମୂଲ୍ୟ ଚଳିତ ଥରକୁ ମିଶାଇ ପାଞ୍ଚ ଥର ବୃଦ୍ଧି କରାଗଲାଣି। ସେପ୍ଟେମ୍ବର ୧ ତାରିଖରେ ସରକାର ଏଲ୍‌ପିଜି ଦର ସିଲିଣ୍ଡର ପିଛା ୭ ଟଙ୍କାରୁ ଊର୍ଧ୍ୱ ବୃଦ୍ଧି କରିଥିଲେ।
ସେହିଭଳି ସରକାର ଆଜି ବିମାନ ଇନ୍ଧନ ମୂଲ୍ୟ ମଧ୍ୟ କିଲୋଲିଟର ପିଛା ୬ ପ୍ରତିଶତ ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ବିମାନ ଇନ୍ଧନ ମୂଲ୍ୟରେ ବୃଦ୍ଧି କରାଯାଇଛି। ଗତ ଅଗଷ୍ଟ ମାସରୁ ବିମାନ ଇନ୍ଧନ ମୂଲ୍ୟ ମଧ୍ୟ ଲଗାତାର ୩ ଥର ବୃଦ୍ଧି ଘଟିଲାଣି। ଆଜିର ବୃଦ୍ଧି ଫଳରେ ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ମୂଲ୍ୟରେ ୩୦୨୫ ଟଙ୍କା ବୃଦ୍ଧି ଘଟି ୫୩,୦୪୫ ଟଙ୍କାରେ ପହଞ୍ଚିଯାଇଛି ବୋଲି ଭାରତୀୟ ତୈଳ ନିଗମ ସୂତ୍ରରୁ ଜଣାଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରେ ବିମାନ ଇନ୍ଧନ ମୂଲ୍ୟ କିଲୋଲିଟର ପିଛା ୪ ପ୍ରତିଶତ ବୃଦ୍ଧି ଘଟିଥିଲା।

ସମ୍ବନ୍ଧିତ ଖବର