ଏଲ୍‌ପିଜି ସବ୍‌ସିଡି ବନ୍ଦ

ନୂଆଦିଲ୍ଲୀ : ଏଲ୍‌ପିଜି ସିଲିଣ୍ଡର ଉପରେ ଆଉ ସବ୍‌ସିଡି ମିଳୁନାହିଁ। ଏହା ବନ୍ଦ ହୋଇଯାଇଛି। ସିଲିଣ୍ଡର ପିଛା ଦରରେ ନିୟମିତ ବୃଦ୍ଧି ଘଟିବା ଓ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଇବାରୁ ଏଲ୍‌ପିଜି ଉପରେ ଆଉ ସବ୍‌ସିଡି ଦେବାକୁ ପଡ଼ୁନାହିଁ। ଅଣ-ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦାମ୍ ଏବେ ୫୯୪ ଟଙ୍କାକୁ ହ୍ରାସ ପାଇଛି। ଗ୍ରାହକମାନେ ସେହି ଟଙ୍କା ଦେଇ ସିଲିଣ୍ଡର କିଣୁଛନ୍ତି। ସେମାନଙ୍କ ଖାତାରେ ଆଉ ସବ୍‌ସିଡି ରାଶି ଜମା କରିବାକୁ ପଡ଼ୁନାହିଁ। ବିଗତ ଚାରି ମାସ ହେଲାଣି ଗ୍ରାହକମାନଙ୍କୁ ଖାତାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ସବ୍‌ସିଡି ରାଶି ଜମା କରାଯାଇନାହିଁ।

ରିହାତି ଓ ଅଣ-ରିହାତି ସିଲିଣ୍ଡର ମୂଲ୍ୟ ମଧ୍ୟରେ ରହିଥିବା ଅନ୍ତର ଚଳିତ ବର୍ଷ ଆରମ୍ଭରୁ ହ୍ରାସ ପାଇବାରେ ଲାଗିଥିଲା। ଏଲ୍‌ପିଜି ସବ୍‌ସିଡି ବନ୍ଦ ହୋଇଥିବାରୁ ସରକାର ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। କରୋନା ମହାମାରୀ ମୁକାବିଲା ଲାଗି ସମ୍ବଳ ଯୋଗାଡ଼ କରୁଥିବା କେନ୍ଦ୍ର ସରକାରଙ୍କ ପାଇଁ ଏହି ସଞ୍ଚୟ ବିଶେ‌େ କାମରେ ଆସିବ। ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ସବ୍‌ସିଡି ଦେବା ଲାଗି ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ୪୦,୯୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥି ମଧ୍ୟରୁ ୩୭,୨୫୬ କୋଟି ଟଙ୍କା ଏଲ୍‌ପିଜି ସବ୍‌ସିଡି ଲାଗି ଦିଆଯାଇଛି। ଚଳିତ ବର୍ଷର ପ୍ରଥମ ତିନି ମାସରେ ସବ୍‌ସିଡି ବାବଦରେ ସରକାର ମାତ୍ର ୧୯୦୦ କୋଟି ଟଙ୍କା ଦେଇଛନ୍ତି।

ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ୍ ସାମଗ୍ରୀର ଦାମ୍ ହ୍ରାସ ପାଇଥିବା ବେଳେ ଗତବର୍ଷ ଜୁଲାଇଠାରୁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ନିରନ୍ତର ବୃଦ୍ଧି ଘଟିଛି। ଗତବର୍ଷ ଜୁଲାଇରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡରର ଦାମ ୪୯୪.୩୫ ଟଙ୍କା ଥିଲା। ଚଳିତ ବର୍ଷ ଜୁଲାଇ ସୁଦ୍ଧା ତାହା ୫୯୪ ଟଙ୍କାକୁ ବୃଦ୍ଧି ପାଇଛି। ଯଦି ଏହି ଦରବୃଦ୍ଧି ଘଟିନଥାନ୍ତା ତେବେ ଗ୍ରାହକଙ୍କୁ ୧୦୦ ଟଙ୍କା କମ୍ ଦାମ୍‌ରେ ଏଲ୍‌ପିଜି ସିଲିଣ୍ଡର ମିଳୁଥାନ୍ତା। ଗତ ମାର୍ଚ୍ଚରୁ କିରାସିନି ଉପରେ ଦିଆଯାଉଥିବା ସବ୍‌ସିଡି ବନ୍ଦ ହୋଇଥିଲା। ଗତ ମେ’ରୁ ଏଲ୍‌ପିଜି ସବ୍‌ସିଡି ବି ବନ୍ଦ ହୋଇଯାଇଛି। ଦେଶରେ ୨୭.୭୬ କୋଟି ଏଲ୍‌ପିଜି ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧.୫ କୋଟି ଗ୍ରାହକ ସବ୍‌ସିଡି ପାଇବାକୁ ଅଯୋଗ୍ୟ କାରଣ ସେମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ। ବଳକା ୨୬.୧୨ କୋଟି ଗ୍ରାହକ ସବ୍‌ସିଡି ପାଇବାକୁ ଯୋଗ୍ୟ ଯେଉଁମାନଙ୍କୁ ଡିବିଟି ଜରିଆରେ ସବ୍‌ସିଡି ଦିଆଯାଉଥିଲା। ସଦ୍ୟତମ ସୂଚନା ଅନୁସାରେ ୧୮ କୋଟି ଲୋକ ସବ୍‌ସିଡି ପାଇନାହାନ୍ତି। କରୋନା ମହାମାରୀ ସମୟରେ କେବଳ ୮ କୋଟି ଗରିବ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଛି। ସେମାନଙ୍କ ଖାତାରେ ୯୭୦୯.୮୬ କୋଟି ଟଙ୍କା ଜମା କରାଯାଇଛି।

ସମ୍ବନ୍ଧିତ ଖବର