ଏଲ୍‌ପିଜି ସବ୍‌ସିଡି ୨୪୨ କୋଟିକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩୦ କୋଟି ଏଲ୍‌ପିଜି ଗ୍ରାହକ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୯ କୋଟି ହେଉଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀ। ସରକାର ପୂର୍ବରୁ ସବୁ ଘରୋଇ ଏଲ୍‌ପିଜି ବ୍ୟବହାରକାରୀଙ୍କୁ ସବ୍‌ସିଡି ପ୍ରଦାନ କରୁଥିଲେ। କିନ୍ତୁ ଧୀରେ ଧୀରେ ଏହାକୁ ବନ୍ଦ କରିଦେଇଛନ୍ତି। ଫଳରେ ‌ଏ ବାବଦରେ ସରକାରଙ୍କ ସବ୍‌ସିଡି ବାବଦ ବୋଝ ବହୁମାତ୍ରାରେ ହ୍ରାସ ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏଲପିଜି ସବସିଡି ବାବଦରେ ୧୧୮୯୬ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ୨୦୨୧-୨୨ରେ ଏହି ଖର୍ଚ୍ଚ ମାତ୍ର ୨୪୨ କୋଟି ଟଙ୍କାକୁ ହ୍ରାସ ପାଇଛି। ଫଳରେ ଗୋଟିଏ ବର୍ଷରେ ସରକାରଙ୍କ ରାଜକୋଷରେ ୧୧୬୫୪ କୋଟି ଟଙ୍କା ବଞ୍ଚି ପାରିଛି।

ପେଟ୍ରୋଲିୟମ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ଏଲ୍‌ପିଜି ସବସିଡି ବାବଦରେ ୨୩୪୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୧୮-୧୯ରେ ଉକ୍ତ ରାଶି ୩୭,୨୦୯ କୋଟି ଟଙ୍କାରେ ପହଞ୍ଚିଥିଲା। ଏହାପରେ ସରକାର ଲୋକଙ୍କୁ ସବସିଡି ଛାଡ଼ିବା ପାଇଁ ଆହ୍ବାନ ଦେଇଥିଲେ। ଏଥିପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାରଙ୍କ ଏବାବଦ ସବ୍‌ସିଡି ବୋଝ ୨୪୧୭୨ କୋଟି ଟଙ୍କାକୁ କମିଯାଇଥିଲା। ୨୦୨୦-୨୧ରେ ଏଥିରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିଲା ଏବଂ ସବ୍‌ସିଡି ବାବଦ ବୋଝ ୧୧,୮୯୬ କୋଟି ଟଙ୍କାକୁ କମିଯାଇଥିଲା। ଏହାପରେ ୨୦୨୧-୨୨ରେ ଏହା ମାତ୍ର ୨୪୨ କୋଟି ଟଙ୍କାକୁ କମିଯାଇଛି। ତେବେ ୨୦୨୦ ଜୁନରୁ ସରକାର କେବଳ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ସବସିଡି ‌ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଏହି ଯୋଜନାର ହିତାଧିକାରୀଙ୍କୁ ବାର୍ଷିକ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ଏଲ୍‌ପିଜି ବାବଦରେ ୨୦୦ ଟଙ୍କା ଲେଖାଏଁ ସବ୍‌ସିଡି ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି। ଗୋଟିଏ ପଟେ ଏଲ୍‌ପିଜି ଦାମ ନିୟମିତ ବ୍ୟବଧାନରେ ବୃଦ୍ଧି ପାଇବା ସହିତ ଅନ୍ୟପଟେ ସବ୍‌ସିଡି ବନ୍ଦ ଯୋଗୁ ଖାଉଟିଙ୍କ ଉପରେ ଏଥିଜନିତ ବୋଝ ବୃଦ୍ଧି ପାଇବାରେ ଲାଗିଛି। ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଦେଶର ଅଧିକାଂଶ ସ୍ଥାନରେ ୧୦୦୦ ଟଙ୍କାରୁ ଅଧିକ ଦାମ‌୍‌ରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର