ଭୁବନେଶ୍ବର: ନିର୍ମାଣ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଏଲ୍ଆଣ୍ଡ୍ଟି ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ଓଡ଼ିଶାରେ ଜମି ସନ୍ଧାନରେ ରହିଛି। କମ୍ପାନିର ସଭାପତି (ଶକ୍ତି) ସୁବ୍ରମଣ୍ୟମ ଶର୍ମା ‘ମନିକଣ୍ଟ୍ରୋଲ୍’ ସହ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି। ନିକଟରେ ଗୁଜରାଟର କାଣ୍ଡଲା ବନ୍ଦର ପାଖରେ ୬୦୦ ଏକର ଜମି ଅଧିଗ୍ରହଣ କରିଥିବା ଏଲ୍ଆଣ୍ଡଟି ଓଡ଼ିଶାରେ ମଧ୍ୟ ଜମି କିଣିବାକୁ ଚାହୁଛି। ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ କମ୍ପାନିର ସଭାପତି ଶ୍ରୀ ଶର୍ମା କହିଛନ୍ତି ଯେ ରପ୍ତାନି ଉଦ୍ଦେଶ୍ୟ ରଖି ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବା ଲାଗି ଆମର ଯୋଜନା ରହିଛି। କମ୍ପାନି ଆଗୁଆ ନିଜ ପାଖରେ ଜମି ରଖିବାକୁ ଚାହୁଛି। ଯେତେବେଳେ ସୁଯୋଗ ଆସିବ, ଆମକୁ ଆଉ ଜମି ଖୋଜିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।
ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ହାସଲ କରିବାରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି। ବିଶେଷ କରି ଗୋପାଳପୁର ଶିଳ୍ପାଞ୍ଚଳରେ ଦେଶର କିଛି ପ୍ରତିଷ୍ଠିତ କମ୍ପାନି ପୁଞ୍ଜିନିବେଶ ଘୋଷଣା କରିଛନ୍ତି। ହାଇଜେନ୍କୋ ନାମକ ସଂସ୍ଥା ଗୋପାଳପୁରରେ ୧ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରୁଛି। ଏହି କାରଖାନା ୨୦୨୬ରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ସେହିପରି, ରିନିଉ ଏନର୍ଜି ନାମକ ସଂସ୍ଥା ଜାପାନର କମ୍ପାନି ଜେରା ସହ ମିଶି ପାରାଦୀପରେ ଏକ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ୨୦୩୦ ସୁଦ୍ଧା କମ୍ପାନି ବାର୍ଷିକ ୧,୦୦,୦୦୦ ଟନ୍ ଗ୍ରିନ୍ ଆମୋନିଆ ଉତ୍ପାଦନ କରିବାକୁ ଯୋଜନା ରଖିଛି। ୱେଲ୍ସ୍ପନ୍ ନିଉ ଏନର୍ଜି କେନ୍ଦ୍ରାପଡ଼ାରେ ୧୩,୮୬୦ କୋଟି ଟଙ୍କା ନିବେଶରେ ଏକ ୦.୭ ଏମ୍ଟିପିଏ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ସେମ୍ବକର୍ପ ଗ୍ରିନ୍ ହାଇଡ୍ରୋଜେନ୍ ଇଣ୍ଡିଆ ଗୋପାଳପୁରରେ ୧୩,୦୦୦ କୋଟି ଟଙ୍କା ନିବେଶରେ ଏକ ୦.୭୨ ଏମ୍ଟିପିଏ ଗ୍ରିନ୍ ଆମୋନିଆ କାରଖାନା ବସାଇବ। ଏମ୍ସିଏମ୍ଇ ଓ ଆଭାଡା ଗ୍ରୁପ୍ ମଧ୍ୟ ଗୋପାଳପୁରରେ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରୁଛନ୍ତି। ଏମ୍ସିଏମ୍ଇ ୨୭ ହଜାର କୋଟି ଟଙ୍କା ଓ ଆଭାଡା ଗ୍ରୁପ୍ ୮୦୦୦ କୋଟି ଟଙ୍କା ନିବେଶ କରୁଛି।