ଭୁବନେଶ୍ବର: ଲାର୍ସନ ଆଣ୍ଡ୍ ଟୁବ୍ରୋ (ଏଲ୍ଆଣ୍ଡ୍ଟି)ର ଶାଖା କମ୍ପାନି ଏଲ୍ଆଣ୍ଡ୍ଟି ଏନର୍ଜି ଗ୍ରିନ୍ଟେକ୍ ପକ୍ଷରୁ ପାରାଦୀପରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରାଯିବ। କମ୍ପାନିର ସିଇଓ ଡେରେକ୍ ଏମ୍ ଶାହ ଏହି ସୂଚନା ଦେଇଛନ୍ତି। ପ୍ରକଳ୍ପ ସମ୍ପର୍କରେ ଅଧିକ ତଥ୍ୟ ଦେଇ ସେ ଜଣାଇଛନ୍ତି ଯେ ପାରାଦୀପ ପ୍ରକଳ୍ପର ବାର୍ଷିକ କ୍ଷମତା ୧.୮ ନିୟୁତ ଟନ୍ ହେବ। ସେଥିରେ ପାଖାପାଖି ୪୦,୦୦୦ କୋଟି ଟଙ୍କା ନିବେଶ ହେବ। ଏଲ୍ଆଣ୍ଡ୍ଟି ଏନର୍ଜି ଗ୍ରିନ୍ଟେକ୍ ଦେଶର ଦୁଇଟି ସ୍ଥାନରେ ଗ୍ରିନ୍ ଆମୋନିଆ କାରଖାନା କରିବାକୁ ଚାହୁଛି। ଗୋଟିଏ ହେଉଛି ଗୁଜରାଟର କାଣ୍ଡଲା ଓ ଦ୍ବିତୀୟଟି ହେଉଛି ଓଡ଼ିଶାର ପାରାଦୀପ। ଉଭୟ ପ୍ରକଳ୍ପର ଉତ୍ପାଦନ କ୍ଷମତା ଓ ନିବେଶ ପରିମାଣ ପ୍ରାୟ ସମାନ ରହିବ। ପାରାଦୀପକୁ ନିବେଶ ସ୍ଥଳ ଭାବେ ଚୟନ କରିବା ପଛର କାରଣ ସମ୍ପର୍କରେ ଶ୍ରୀ ଶାହ ଜଣାଇଛନ୍ତି ଯେ ବିଶ୍ବବ୍ୟାପୀ ଜାହାଜ ପରିବହନରେ ଗ୍ରିନ୍ କରିଡର୍ ବିକାଶ ହୋଇଛି।
ପାରାଦୀପରୁ ସିଙ୍ଗାପୁର ଏବଂ ୟୁରୋପରୁ ରୋଟର୍ଡ୍ୟାମ୍ ପର୍ଯ୍ୟନ୍ତ ଗ୍ରିନ୍ କରିଡର୍। ତେଣୁ ସେହି ରୁଟ୍ରେ ଅଳ୍ପ ସମୟ ଭିତରେ ବହୁ ପ୍ରକାର କଟକଣା ଲାଗିବ ଏବଂ ସବୁଜ ପରିବହନ ଲାଗି କଡ଼ା ନିୟମ ଲାଗୁ ହେବ। ସେହି ସମୟରେ ସବୁଜ ଇନ୍ଧନର ଯେଉଁ ଆବଶ୍ୟକତା ଦେଖାଦେବ, ଯାହା ପୂରଣ କରିବା ଲାଗି ଆମେ ପ୍ରସ୍ତୁତ ରହିଥିବୁ ବୋଲି ସେ କହିଛନ୍ତି। ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆକୁ କମ୍ପାନି ରପ୍ତାନି ଉଦ୍ଦେଶ୍ୟରେ ବ୍ୟବହାର କରିବ। ବର୍ତ୍ତମାନ ସୁଦ୍ଧା ୟୁରୋପ ସବୁଠୁ ବଡ଼ ବଜାର ହୋଇରହିଛି। ଜାପାନ, ଦକ୍ଷିଣ କୋରିଆ ଓ ସିଙ୍ଗାପୁରକୁ ରପ୍ତାନିର ମଧ୍ୟ ବ୍ୟାପକ ସୁଯୋଗ ରହିଛି। ମଧ୍ୟପ୍ରାଚ୍ୟକୁ ମଧ୍ୟ କମ୍ପାନି ଏହାର ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଡେରିଭେଟିଭ୍ସ ରପ୍ତାନି କରିବାକୁ ଯୋଜନା ରଖିଛି।