ଆସିବ ନୂଆ ୨୦ ଟଙ୍କିଆ କଏନ୍

ଗୋଲାକାର ନୁହେଁ, ବହୁଭୁଜ ବିଶିଷ୍ଟ ହେବ

ନୂଆଦିଲ୍ଲୀ: ସରକାର ପ୍ରଥମ ଥର ପାଇଁ ଏକ ନୂଆ ୨୦ ଟଙ୍କିଆ କଏନ୍ ପ୍ରଚଳନ କରିବାକୁ ଯାଉଛନ୍ତି। ଏହି କଏନ ଗୋଲାକାର ନହୋଇ ବହୁଭୁଜ ବିଶିଷ୍ଟ ହେବ। ଏହି ବହୁଭୁଜ କଏନ୍‌ର ୧୨ଟି ପାର୍ଶ୍ବ ରହିବ। କଏନ୍‌ର ବ୍ୟହ୍ୟପାର୍ଶ୍ବ ବ୍ୟାସ ୨୭ ମିଲିମିଟର ରହିବାକୁ ଥିବାବେଳେ ଓଜନର ୮.୫୪ ଗ୍ରାମ୍ ରହିବ। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞକ୍ତିରେ ଏହି ସୂଚନା ଦିଆଯାଇଛି। ନୂଆ ଧାତବ ମୁଦ୍ରାଟି ତମ୍ବା, ଦସ୍ତା ଏବଂ ନିକେଲକୁ ନେଇ ପ୍ରସ୍ତୁତ ହେବ। ଧାତବ ମୁଦ୍ରାର ବାହ୍ୟ ପାର୍ଶ୍ବରେ ୬୫ ପ୍ରତିଶତ ତମ୍ବା, ୧୫ ପ୍ରତିଶତ ଦସ୍ତା ଏବଂ ୨୦ ପ୍ରତିଶତ ନିକେଲ ରିହବାକୁ ଥିବାବେଳେ ଆଭ୍ୟନ୍ତରୀଣ ପାର୍ଶ୍ବରେ ୭୫ ପ୍ରତିଶତ ତମ୍ବା, ୨୦ ପ୍ରତିଶତ ଦସ୍ତା ଏବଂ ୫ ପ୍ରତିଶତ ନିକେଲ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଔଷଧୀ ଦିବସ ପରିପ୍ରେକ୍ଷୀରେ ଦୃଷ୍ଟିହୀନଙ୍କ ପାଇଁ ନୂଆଦିଲ୍ଲୀରେ ଏକ ଉତ୍ସବରେ ଦୃଷ୍ଟିହୀନଙ୍କ ପାଇଁ ନୂଆ ସିରିଜ୍‌ର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଏବଂ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି। ଦୃଷ୍ଟିହୀନଙ୍କ ପାଇଁ ନୂଆ କଏନ ଉନ୍ମୋଚନ କରାଯାଇଥିବାବେଳେ ୨୦ ଟଙ୍କିଆ କଏନ ସମ୍ପର୍କରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।ନୂଆ ୨୦ ଟଙ୍କିଆ କଏନର ସମ୍ମୁଖ ଭାଗରେ ଅଶୋକ ସ୍ତମ୍ଭ ସମେତ ସତ୍ୟମେବ ଜୟତେ ଲେଖା ରହିବ। ବାମପଟେ ହିନ୍ଦୀରେ ‘ଭାରତ’ ଏବଂ ଡାହାଣ ପଟେ ଇଂରାଜୀରେ ‘ଇଣ୍ଡିଆ’ ଲେଖାଯିବ। ୨୦ ଟଙ୍କିଆ କଏନର ପଛ ପାର୍ଶ୍ବରେ ସଂଖ୍ୟାରେ ୨୦ ଲେଖାଯିବ। ଏହି ଲେଖାର ଉପରେ ଟଙ୍କାର ପ୍ରତୀକ ରହିବ। ଏଥିସହିତ ଭାରତର କୃଷି ପ୍ରାଧାନ୍ୟକୁ ଦର୍ଶାଇବାକୁ ଯାଇ କଏନରେ ବାମପାର୍ଶ୍ବରେ ଶସ୍ୟର ଏକ ଡିଜାଇନ ରହିବ। ଡାହାଣ ପଟର ଉପର ଭାଗରେ ହିନ୍ଦୀରେ ୨୦ ଏବଂ ତଳେ ଇଂରାଜୀ ଅକ୍ଷରରେ ଟ୍ବେଣ୍ଟି ରୁପିଜ୍ ଲେଖା ରହିବ। କଏନ କେନ୍ଦ୍ରର ବାମପାର୍ଶ୍ବରେ ପ୍ରସ୍ତୁତିର ବର୍ଷ ରହିବ।

ସମ୍ବନ୍ଧିତ ଖବର