ମଧ୍ୟାହ୍ନ ଭୋଜନ ହେଲା ‘ପିଏମ୍‌-ପୋଷଣ’: ୫ ବଷିଆ କେନ୍ଦ୍ର ପ୍ରାୟୋଜିତ ସ୍କିମ୍

୧.୩୦ ଲକ୍ଷ କୋଟି ବ୍ୟୟ ହେବ, ୧୧.୮୦ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନାର ନାମ ପରିବର୍ତ୍ତନ କରି ପିଏମ୍‌-ପୋଷଣ ରଖିଛନ୍ତି। ଏହା ହେଉଛି ଏକ କେନ୍ଦ୍ର ପ୍ରାୟୋଜିତ ରାଷ୍ଟ୍ରୀୟ ଯୋଜନା। ଏଥିରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ଦିନକୁ ଗୋଟିଏ ଥର ଗରମ ରନ୍ଧାଖାଦ୍ୟ ଦିଆଯିବ। ପାଞ୍ଚ ବର୍ଷରେ ଏହି ଯୋଜନାରେ ୧,୩୦,୭୯୫ କୋଟି ଟଙ୍କା ବ୍ୟୟ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପିଏମ୍‌-ପୋଷଣ ଯୋଜନା ଦ୍ବାରା ଦେଶର ୧୧ ଲକ୍ଷ ୨୦ ହଜାରରୁ ଅଧିକ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ୧୧.୮ କୋଟି ଛାତ୍ରଛାତ୍ରୀ ଉପକୃତ ହେବେ। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ଯୋଜନା ଚାଲିବ। ଏଥିପାଇଁ କେନ୍ଦ୍ର ସରକାର ୫୪,୦୬୧.୭୩ କୋଟି ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୩୧,୭୩୩.୧୭ କୋଟି ଟଙ୍କାର ଆର୍ଥିକ ଅବଦାନ ପ୍ରଦାନ କରିବେ। ଖାଦ୍ୟଶସ୍ୟରେ ହେବାକୁ ଥିବା ଅତିରିକ୍ତ ୪୫ ହଜାର କୋଟି ଟଙ୍କାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏହି ସ୍କିମ୍‌ରେ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରାକ୍-ପ୍ରାଥମିକ ସ୍କୁଲ ଓ ବାଲ୍‌ବାଟିକାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ସ୍କୁଲ ପରିସରରେ ସରକାର ପୁଷ୍ଟିକର ଉଦ୍ୟାନ ମଧ୍ୟ ବିକାଶ କରିବେ। ସେଥିରୁ ଯାହା ଅମଳ ହେବ ତାହାକୁ ରନ୍ଧାଖାଦ୍ୟରେ ବ୍ୟବହାର କରାଯିବ। ଏହି ଯୋଜନାରେ ତିଥି ଭୋଜନ ବ୍ୟବସ୍ଥା ଲାଗୁ କରାଯିବ। ଉତ୍ସବ ଓ ସ୍ବତନ୍ତ୍ର ଦିନଗୁଡ଼ିକରେ ଗୋଷ୍ଠୀ ବା ସମ୍ପ୍ରଦାୟ ତରଫରୁ ପିଲାମାନଙ୍କୁ ସ୍ବତନ୍ତ୍ର ଖାଦ୍ୟ ଦେବାର ବ୍ୟବସ୍ଥା କରାଯିବ। ସବୁ ଜିଲ୍ଲାରେ ଏହି ଯୋଜନାର ସାମାଜିକ ଅଡିଟ୍‌କୁ ବାଧ୍ୟତାମୂଳକ କରାଯାଇଛି।

ଆକାଂକ୍ଷୀ ଜିଲ୍ଲା ଓ ରକ୍ତହୀନତା ସମସ୍ୟା ଥିବା ଜିଲ୍ଲାଗୁଡ଼ିକ ଲାଗି ଅତିରିକ୍ତ ପୁଷ୍ଟିର ବ୍ୟବସ୍ଥା କରାଯିବ। ସ୍ଥାନୀୟ ଖାଦ୍ୟ ଓ ଉପାଦାନର ପ୍ରସାର କରିବା ଏବଂ ଏହି ଯୋଜନା ଲାଗି ଅଭିନବ ଖାଦ୍ୟ ମେନୁ ପ୍ରସ୍ତୁତ କରିବା ଲାଗି ଗ୍ରାମାଞ୍ଚଳରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ରାନ୍ଧଣା ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ଯୋଜନାରେ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ସାମିଲ କରାଯିବ। ସ୍ଥାନୀୟ ଅର୍ଥନୀତିକୁ ସହାୟତା ଦେବା ଲାଗି ସ୍ଥାନୀୟ ଭାବେ ଉପଲବ୍ଧ ଥିବା ପାରମ୍ପରିକ ଖାଦ୍ୟକୁ ଯୋଜନାରେ ସାମିଲ କରିବା ପାଇଁ ଉତ୍ସାହିତ କରାଯିବ। ଯୋଜନାର ଅନୁଶୀଳନ ଓ ଅଗ୍ରଗତି ବିଷୟରେ ଜାଣିବା ଲାଗି ପ୍ରମୁଖ ବିଶ୍ବବିଦ୍ୟାଳୟ ଓ ଶିକ୍ଷା‌ନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନ କରିବେ।

ପିଏମ୍‌-ପୋଷଣ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିବାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଯୋଜନା ଜନ ଅ‌ାନ୍ଦୋଳନରେ ପରିଣତ ହେବ। ତିଥି ଭୋଜନ, ସୋସିଆଲ୍ ଅଡିଟ୍‌ ଓ ପୁଷ୍ଟିକର ଉଦ୍ୟାନ ଭଳି ପଦକ୍ଷେପ ଏହି ଯୋଜନାର ସଠିକ୍ କାର୍ଯ୍ୟକାରିତାରେ ସହାୟକ ହେବ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୂନ କ୍ଷୁଧା ସହ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଛନ୍ତି।

ପିଏମ୍‌-ପୋଷଣ ବ୍ୟତୀତ ଆଜି କ୍ୟାବିନେଟ୍ କମିଟି ବୈଠକରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଜାତୀୟ ରପ୍ତାନି ବୀମା ଖାତା ଯୋଜନାକୁ ଆଉ ପାଞ୍ଚ ବର୍ଷ ଲାଗୁ କରାଯିବ ଏବଂ ଏଥିପାଇଁ ସରକାର ୧୬୫୦ କୋଟି ଟଙ୍କା ଦେବେ। ରପ୍ତାନି ଋଣ ଗ୍ୟାରେଣ୍ଟି କର୍ପୋରେସନ୍‌କୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରି ଏହାର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାରି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି। ଏହି ସଂସ୍ଥାକୁ ସରକାର ୪,୪୦୦ କୋଟି ଟଙ୍କାର ନୂଆ ପାଣ୍ଠି ୫ ବର୍ଷରେ ଦେବେ।

ସମ୍ବନ୍ଧିତ ଖବର