ବିଳାସପୂର୍ଣ୍ଣ କାର ଉପ୍‌ରେ ଜିଏସ୍‌ଟି ସେସ୍‌ ୨୫%କୁ ବୃଦ୍ଧି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍‌ ଉପରେ ଜିଏସ୍‌ଟି ସେସ୍‌ ପରିମାଣ ୧୫%ରୁ ବୃଦ୍ଧି ପାଇ ୨୫% ହୋଇଛି। ଲୋକସଭାରେ ଏ ସମ୍ପର୍କିତ ବିଲ୍‌କୁ ଅନୁମୋଦନ ମିଳିଛି। ଜିଏସ୍‌ଟି (ରାଜ୍ୟଙ୍କୁ କ୍ଷତିପୂରଣ) ସଂଶୋଧନ ବିଲ୍‌ ୨୦୧୭ ଲୋକସଭାରେ ପାସ୍‌ ହୋଇଛି। ବିଳାସପୂର୍ଣ୍ଣ କାର୍‌ ଉପରେ ସେସ୍‌ ବଢ଼ାଇବା ପାଇଁ ସେପ୍ଟେମ୍ବରରେ ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ ଏହା ଲାଗୁ ହେବ। ଏହି ଅବସରରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ ବଡ଼ କାର୍‌ରୁ ଯେଉଁ ସେସ୍‌ ଆଦାୟ କରାଯିବ ତାହାକୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପ୍ରଦାନ କରିବା ବାବଦରେ ବ୍ୟବହାର କରାଯିବ। ଏହି ଅବସରରେ ବିତର୍କରେ ଭାଗ ନେଇ ଗୃହର ସଦସ୍ୟମାନେ ସାନିଟାରି ନାପ୍‌କିନ୍‌, କୃଷି ଉପକରଣ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଓ କ୍ରୀଡ଼ା ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ କରିବାକୁ ଦାବି କରିଥିଲେ। ଚାରିିଟି ସ୍ଲାବ୍‌ ବଦଳରେ ଗୋଟିଏ ଟିକସ ସ୍ଲାବ୍‌ ଲାଗୁ କରିବାକୁ ମଧ୍ୟ କିଛି ସଦସ୍ୟ ଦାବି କରିଛନ୍ତି। ବିଗତ ତିନି ମାସରେ କେନ୍ଦ୍ର ସରକାର ଓଡ଼ିଶାକୁ ୧୦୦୦ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର