ବ୍ରିଟେନ୍‌ର ‘ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍‌’ ଏବେ ଓଡ଼ିଶାରେ

ଭୁବନେଶ୍ୱର: ବ୍ରିଟେନ୍‌ର ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍‌ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌ରେ ଏହାର ପ୍ରଥମ ଷ୍ଟୋର୍‌କୁ ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟାନି ଉଦ୍‌ଘାଟନ କରିଛନ୍ତି। ୬୭୦୦ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଏହି ଷ୍ଟୋର୍‌ରେ ରହିଛି ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ। ମହିଳାଙ୍କ ପୋଷାକ ମୂଲ୍ୟ ୫୯୯ ଟଙ୍କାରୁ, ପୁରୁଷଙ୍କ ୯୯୯ ଟଙ୍କାରୁ ଓ ଶିଶୁ ପୋଷାକ ଦର ୩୯୯ ଟଙ୍କାରୁ ଆରମ୍ଭ ହୋଇଛି। ଷ୍ଟୋର୍‌ର ସବୁଠୁ ବଡ଼ ଆକର୍ଷଣ ହେଉଛି ମହିଳା ପୋଷାକ ଓ ଲଂଜରି। ଲଂଜରି ଦର ୩୯୯ ଟଙ୍କାରୁ ଆରମ୍ଭ ହୋଇଛି। ଷ୍ଟୋର୍‌ରେ ସୌନ୍ଦର୍ଯ୍ୟ ଉତ୍ପାଦ ମଧ୍ୟ ବିକ୍ରି କରାଯାଉଛି।

ଏହି ଅବସରରେ କଂପାନିର ପରିଚାଳନା ନିର୍ଦେଶକ ଜେମ୍ସ ମନ୍‌ସନ୍‌ କହିଛନ୍ତି ଯେ, ଭାରତରେ ଏହା ଆମର ୬୭ତମ ଷ୍ଟୋର୍‌। ମେଟ୍ରୋ ସହର ବାହାରେ ଆମର ୨୨ଟି ଷ୍ଟୋର୍‌ ରହିଛି। ବ୍ରିଟେନ୍‌ ବାହାରେ ଭାରତ ଆମ ପାଇଁ ସବୁଠୁ ବଡ଼ ବଜାର ବୋଲି ସେ କହିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ କଂପାନି ଭାରତରେ ୯୮୭ କୋଟି ଟଙ୍କାର କାରବାର କରିଥିଲା। ଭୁବନେଶ୍ୱରରେ ଏହା ଭଲ କାରବାର କରିବାକୁ ଆଶା ରଖିଛି। ରାଜ୍ୟରେ ଥିବା ଆଇଟି ଶିଳ୍ପ ଆମର କାରବାର ବଢ଼ାଇବାରେ ସହାୟକ ହେବ। ଆମ ଗ୍ରାହକମାନେ ଅନ୍‌ଲାଇନ୍‌ରେ ଆମାଜନ୍‌, ମିନ୍ତ୍ରା ଓ ଜବଙ୍ଗ୍‌ରୁ ମଧ୍ୟ କିଣାକିଣି କରିପାରିବେ ବୋଲି ମନ୍‌ସନ୍‌ କହିଛନ୍ତି। ୧୩୦ ବର୍ଷ ପୂର୍ବେ ବ୍ରିଟେନ୍‌ରେ ସ୍ଥାପିତ ହୋଇଥିବା ମାର୍କସ୍‌ ଆଣ୍ଡ୍‌ ସ୍ପେନ୍‌ସର୍‌ ୨୦୦୧ରେ ଭାରତରେ ଏହାର ପ୍ରଥମ ଷ୍ଟୋର୍‌ ଖୋଲିଥିଲା। ୨୦୦୮ରେ ଏହା ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ୍‌ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। ପ୍ରତିବର୍ଷ କଂପାନି ଦେଶରେ ୬-୭ଟି ନୂଆ ଷ୍ଟୋର୍‌ ଖୋଲୁଛି।

ସମ୍ବନ୍ଧିତ ଖବର