ନୂଆଦିଲ୍ଲୀ: ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନୂଆ ମୁଖ୍ୟ ଭାବେ ମାଧବୀ ପୁରୀ ବୁଚ୍ଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଛି। ଏହି ପଦରେ ସେ ହେଉଛନ୍ତି ପ୍ରଥମ ମହିଳା। ମାଧବୀଙ୍କ ପାଖରେ ପୁଞ୍ଜି ବଜାରରେ କାମ କରିବାର ତିନି ଦଶନ୍ଧିର ଅଭିଜ୍ଞତା ରହିଛି। ୨୦୧୭ ଏପ୍ରିଲ୍ ୫ରୁ ୨୦୨୧ ଅକ୍ଟୋବର ୪ ପର୍ଯ୍ୟନ୍ତ ସେ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ଭାବେ କାର୍ଯ୍ୟ କରିଛନ୍ତି। ସେ ନିବେଶ ସ୍କିମ୍ ଓ ନିବେଶ ପରିଚାଳନା ଦାୟିତ୍ବରେ ଥିଲେ। ଏହା ପରେ ତାଙ୍କୁ ଏକ ସାତ ଜଣିଆ ବିଶେଷଜ୍ଞ କମିଟିର ସଦସ୍ୟା ଭାବେ ନିଯୁକ୍ତି ମିଳିଥିଲା ଯାହା ସେବିର ପ୍ରଯୁକ୍ତି ବ୍ୟବସ୍ଥାର ଡିଜାଇନ୍ ପ୍ରସ୍ତୁତ କରିବା ଦାୟିତ୍ବରେ ରହିଛି।
ସେବିରେ କାର୍ଯ୍ୟ କରିବା ପୂର୍ବରୁ ମାଧବୀ ଚୀନ୍ର ସାଂଘାଇ ସ୍ଥିତ ନିଉ ଡେଭେଲପ୍ମେଣ୍ଟ୍ ବ୍ୟାଙ୍କର କନସଲଟାଣ୍ଟ୍ ଭାବେ କାର୍ଯ୍ୟ କରିଥିଲେ। ଗ୍ରେଟର ପାସିଫିକ୍ କ୍ୟାପିଟାଲ୍ ନାମକ ଏକ ପ୍ରାଇଭେଟ୍ ଇକ୍ବିଟି ସଂସ୍ଥାର ସିଙ୍ଗାପୁର କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ର ଏମ୍ଡି ଓ ସିଇଓ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଇଡି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଆଇଆଇଏମ୍-ଅହମ୍ମଦାବାଦରେ ପାଠ ପଢ଼ିଥିବା ମାଧବୀ ୧୯୮୯ରେ ଆଇସିଆଇସିଆଇ ବ୍ୟାଙ୍କରେ ଯୋଗ ଦେଇଥିଲେ।
ସେବି ଆରମ୍ଭ ହେବା ପରଠାରୁ ପୁରୁଷମାନେ ଏହାର ମୁଖ୍ୟ ପଦରେ ଅବସ୍ଥାପିତ ହେଉଥିଲେ। ମାଧବୀଙ୍କ ପୂର୍ବରୁ ଏହି ପଦରେ ୧୯୮୪ ବ୍ୟାଚ୍ର ହିମାଚଳପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ ଅଜୟ ତ୍ୟାଗି କାର୍ଯ୍ୟ କରୁଥିଲେ। ୨୦୧୭ରେ ଶ୍ରୀ ତ୍ୟାଗିଙ୍କୁ ଏହି ପଦରେ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ଏହା ପରେ ତାଙ୍କ କାର୍ଯ୍ୟକାଳକୁ ୧୮ ମାସ ବୃଦ୍ଧି କରାଯାଇଥିଲା। ଗତବର୍ଷ ଅକ୍ଟୋବରରେ ସେବି ମୁଖ୍ୟ ପଦ ଲାଗି ଆବେଦନ ଆହ୍ବାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/madhav-puri.jpg)