ନୂଆଦିଲ୍ଲୀ: ଗତକାଲି ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟ ଜାରି କରିଥିବା ଆମେରିକାର ସର୍ଟ-ସେଲିଂ ସଂସ୍ଥା ହିଣ୍ଡେନ୍ବର୍ଗ ଉପରେ ବର୍ଷିଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍। ରିପୋର୍ଟ ଜାରି ହେବାର ୧୫ ଘଣ୍ଟା ପରେ ସେ ନିଜ ସ୍ବାମୀ ଧବଲ୍ ବୁଚ୍ଙ୍କ ସହ ମିଳିତ ଭାବେ ଦୁଇ ପୃଷ୍ଠାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମାଧବୀ କହିଛନ୍ତି ଯେ ଭାରତରେ ଏକାଧିକ ନିୟମ ଉଲ୍ଲଂଘନ କରିଥିବାରୁ ହିଣ୍ଡେନବର୍ଗକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା। ତାହାର ଉତ୍ତର ଦେବା ବଦଳରେ ଏହା ସେବିର ବିଶ୍ବସନୀୟତା ପ୍ରତି ପ୍ରଶ୍ନ ଉଠାଇବା ଓ ତାହାର ମୁଖ୍ୟଙ୍କ ଚରିତ୍ର ସଂହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବୁଚ୍ ଦମ୍ପତି କହିଛନ୍ତି ଯେ ଆମ ଜୀବନ ଓ ଫାଇନାନ୍ସ ଏକ ଖୋଲା ବହି। ଇତି ମଧ୍ୟରେ ସେବି ଏହାର ମୁଖ୍ୟ ମାଧବୀଙ୍କ ସପକ୍ଷରେ ବାହାରିଛି। ନିବେଶକମାନଙ୍କୁ ଶାନ୍ତ ରହିବାକୁ ଏହା ଆହ୍ବାନ ଦେଇଥିବା ବେଳେ କୌଣସି ଖବର ଉପରେ ପ୍ରକ୍ରିୟା ପ୍ରକାଶ କରିବା ପୂର୍ବରୁ ଯଥାର୍ଥ ଆକଳନ କରିବାକୁ ଅନୁରୋଧ କରିଛି। ସେବି କହିଛି ଯେ ଆଦାନି ଗ୍ରୁପ୍ ବିରୋଧରେ ସେବି କରୁଥିବା ୨୪ଟି ବିଷୟ ତଦନ୍ତରୁ ୨୩ଟି ଶେଷ ହୋଇଛି। କେବଳ ଗୋଟିଏ ବିଷୟରେ ତଦନ୍ତ ବାକି ରହିଛି। ଯେଉଁ ବିଷୟ ତଦନ୍ତ ବେଳେ ଦ୍ବେତ ସ୍ବାର୍ଥ ସମସ୍ୟା ଦେଖାଦେଉଥିଲା, ସେଥିରୁ ଶ୍ରୀମତୀ ବୁଚ୍ ନିଜ ଆଡ଼ୁ ଓହରିଯାଉଥିଲେ ବୋଲି ସେବି କହିଛି।
ହିଣ୍ଡେନ୍ବର୍ଗ ଅଭିଯୋଗ କରିଛି ଯେ ମାଧବୀ ଓ ତାଙ୍କ ସ୍ବାମୀଙ୍କ ନିବେଶ ଏଭଳି ଦୁଇ ଫଣ୍ଡରେ ରହିଛି ଯାହାର ସମ୍ପର୍କ ଗୌତମ ଆଦାନିଙ୍କ ସଂସ୍ଥା ସହ ରହିଛି। ସେଥିପାଇଁ ଆଦାନି-ହିଣ୍ଡେନବର୍ଗ ମାମଲାରେ ସେବିର ତଦନ୍ତରୁ କିଛି ବାହାରୁନଥିବା ହିଣ୍ଡେନବର୍ଗ କହିଛି। ଯେଉଁ ଅନିଲ ଆହୁଜାଙ୍କ ଜରିଆରେ ବୁଚ୍ ଦମ୍ପତ୍ତି ନିବେଶ କରିଛନ୍ତି ସେ ଆଦାନି ଏଣ୍ଟରପ୍ରାଇଜେସ୍ ବୋର୍ଡର ନିର୍ଦ୍ଦେଶକ ଥିଲେ ବୋଲି ହିଣ୍ଡେନବର୍ଗ ଅଭିଯୋଗ କରିଛି। ଏହି ଅଭିଯୋଗ ଉପରେ ଉତ୍ତର ରଖି ମାଧବୀ କହିଛନ୍ତି ଯେ ନିବେଶ କ୍ଷେତ୍ରରେ ଆହୁଜାଙ୍କ ଲମ୍ବା କ୍ୟାରିୟର ରହିଛି ଓ ସେ ଧବଲଙ୍କ ପିଲାଦିନର ବନ୍ଧୁ। ଆମେ ଯେତେବେଳେ ନିବେଶ କରିଥିଲୁ ସେହି ସମୟରେ ପ୍ରାଇଭେଟ୍ ଲୋକ ଥିଲୁ। ତଥାପି ଆମର କୌଣସି ନିବେଶର ଆଦାନି ଗ୍ରୁପ୍ ସହ ସମ୍ପର୍କ ନାହିଁ।
ଆଦାନି ଗ୍ରୁପ୍ ମଧ୍ୟ ହିଣ୍ଡେନ୍ବର୍ଗ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନି ଗ୍ରୁପ୍ ଜଣାଇଛି ଯେ ସାର୍ବଜନୀନ ଭାବେ ଉପଲବ୍ଧ ଥିବା ତଥ୍ୟକୁ ବ୍ୟବହାର କରି ମନ୍ଦ ଉଦ୍ଦେଶ୍ୟ ରଖି ନିଆଯାଇଥିବା ଏକ ନିଷ୍ପତ୍ତିରେ ପହଞ୍ଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁ ଅନିଲ ଆହୁଜାଙ୍କ ସମ୍ପର୍କରେ ହିଣ୍ଡେନ୍ବର୍ଗ ଏହାର ରିପୋର୍ଟରେ ଦର୍ଶାଇଛି ସେ ‘୩ଆଇ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ’ର ମନୋନୀତ ନିର୍ଦ୍ଦେଶକ ଭାବେ ୨୦୦୭-୦୮ରେ ଆଦାନି ପାୱାର ଏବଂ ୨୦୧୭ରେ ଆଦାନି ଏଣ୍ଟରପ୍ରାଇଜେସ୍ ବୋର୍ଡରେ ଥିଲେ। ତାଙ୍କ ସହ ଆଦାନି ଗ୍ରୁପ୍ର କୌଣସି ବାଣିଜ୍ୟିକ ସମ୍ପର୍କ ନଥିଲା। ସମସ୍ତ ଆଇନଗତ ଓ ନିୟାମକ ନିୟମ ଅନୁପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ବୋଲି ଆଦାନି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ଯେଉଁ ‘ଆଇପିଇ-ପ୍ଲସ୍ ଫଣ୍ଡ ୧’ ସମ୍ପର୍କରେ ହିଣ୍ଡେନବର୍ଗ ଆଲୋଚନା କରିଛି ତାହାକୁ ପରିଚାଳନା କରୁଥିବା ସଂସ୍ଥା ୩୬୦ ୱାନ୍ ୱାମ୍ ନିଜ ପ୍ରତିକ୍ରିୟାରେ ଜଣାଇଛି ଯେ ଆମେ ପରିଚାଳନା କରୁଥିବା କୌଣସି ଫଣ୍ଡ୍ରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଆଦାନି ଗ୍ରୁପ୍ର କମ୍ପାନିରେ ନିବେଶ ହୋଇନାହିଁ। ସବୁ ଫଣ୍ଡକୁ ଫଣ୍ଡ ମ୍ୟାନେଜର ପରିଚାଳନା କରୁଛନ୍ତି। ନିବେଶ ନିଷ୍ପତ୍ତି ସହ ଗ୍ରାହକମାନଙ୍କ କୌଣସି ସମ୍ପର୍କ ନାହିଁ।
ହିଣ୍ଡେନ୍ବର୍ଗକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ମୋହନ ଦାସ ପାଇ ହିଣ୍ଡେନ୍ବର୍ଗ କାର୍ଯ୍ୟକୁ ଏକ ଶାଗୁଣା ଫଣ୍ଡ ଦ୍ବାରା ଚରିତ୍ର ସଂହାର ବୋଲି କହିଛନ୍ତି। ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ (ଏଏମ୍ଏଫ୍ଆଇ) ପକ୍ଷରୁ କୁହାଯାଇଛି ଯେ ବଜାରରେ ବିଶ୍ବାସ ସଙ୍କଟ ସୃଷ୍ଟି କରିବାକୁ ହିଣ୍ଡେନ୍ବର୍ଗ ଉଦ୍ୟମ କରୁଛି। ବରିଷ୍ଠ ଆଇନଜୀବୀ ମହେଶ ଜେଠ୍ମାଲାନି କହିଛନ୍ତି ଯେ ଭାରତୀୟ ଷ୍ଟକ୍ ବଜାରକୁ ଅସ୍ଥିର କରିବା ଲାଗି ଉଦ୍ୟମ ହେଉଛି। କ୍ୟାପିଟାଲ୍ ମାଇଣ୍ଡର ସିଇଓ ଦୀପକ ସେନୟ କହିଛନ୍ତି ଯେ ହିଣ୍ଡେନବର୍ଗ ରିପୋର୍ଟରେ ସେମିତି କିଛି ତଥ୍ୟ ନାହିଁ। ଆଇଏମ୍ଏଫ୍ ଇଡି କେ ଭି ସୁବ୍ରମଣ୍ୟମ ସେବି ମୁଖ୍ୟ ଶ୍ରୀମତୀ ବୁଚ୍ଙ୍କ ସଚ୍ଚୋଟତାକୁ ସମର୍ଥନ କରିଛନ୍ତି।
ଆଦାନି-ହିଣ୍ଡେନ୍ବର୍ଗ ଘଟଣାକ୍ରମ
୨୦୨୩ ଜାନୁଆରି ୨୪: ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚର ସଙ୍ଗିନ ଅଭିଯୋଗ ରିପୋର୍ଟ ପ୍ରକାଶିତ
୨୦୨୩ ଜାନୁଆରି ୨୭: ହିଣ୍ଡେନ୍ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଦାନିର ସଜବାଜ
୨୦୨୩ ଫେବ୍ରୁଆରି ୧: ପ୍ରସ୍ତାବିତ ଫଲୋଅନ୍ ପବ୍ଲିକ୍ ଅଫରକୁ ଆଦାନିର ପ୍ରତ୍ୟାହାର
୨୦୨୩ ଫେବ୍ରୁଆରି ୧୦: ସେବି ପକ୍ଷରୁ ହିଣ୍ଡେନବର୍ଗ ଅଭିଯୋଗର ତଦନ୍ତ ଆରମ୍ଭ
୨୦୨୩ ଫେବ୍ରୁଆରି ୬: ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ
୨୦୨୩ ମାର୍ଚ୍ଚ ୨: ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ନେତୃତ୍ବରେ ତଦନ୍ତ କମିଟି ଗଠନ
୨୦୨୩ ମାର୍ଚ୍ଚ ୩: ଦୁଇ ମାସ ଭିତରେ ତଦନ୍ତ ଶେଷ କରିବାକୁ ସେବିକୁ କହିଲେ ସୁପ୍ରିମ୍କୋର୍ଟ
୨୦୨୩ ମେ’ ୮: ସୁପ୍ରିମ୍କୋର୍ଟ ଗଠନ କରିଥିବା ୬ ଜଣିଆ ତଦନ୍ତ କମିଟି ଦାଖଲ କଲା ରିପୋର୍ଟ। ଆଦାନି ଗ୍ରୁପ୍କୁ କ୍ଲିନ୍ଚିଟ୍।
୨୦୨୪ ଜାନୁଆରି ୩: ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
୨୦୨୪ ଜୁନ୍: ହିଣ୍ଡେନବର୍ଗ ଅଭିଯୋଗ ପରେ ଆଦାନି ଗ୍ରୁପ୍ର କ୍ଷତି ସମ୍ପୂର୍ଣ୍ଣ ଭରଣା
୨୦୨୪ ଜୁଲାଇ ୨: ଏହି ମାମଲାରେ କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ଟାଣିବା ଲାଗି ହିଣ୍ଡେନବର୍ଗର ଉଦ୍ୟମ
୨୦୨୪ ଅଗଷ୍ଟ ୧୦: ଭାରତ ସମ୍ପର୍କିତ ଏକ ଧମାକାଦାର ଖବର ପ୍ରକାଶ କରିବା ସମ୍ପର୍କରେ ହିଣ୍ଡେନବର୍ଗ ସୂଚନା ଓ ରାତି ୯ଟା ୫୭ରେ ଆଉ ଏକ ବଡ଼ ଅଭିଯୋଗ