କଂପାନି ଟଙ୍କାରେ ମଉଜ କରୁଥିଲେ ମାଧୁରୀ: ଭାରତପେ’ରୁ ବିଦା ହେଲେ, ରୂପଚର୍ଯ୍ୟାରେ ଖର୍ଚ୍ଚ କରୁଥିଲେ

ବିଦେଶକୁ ସପରିବାର ଛୁଟି କଟାଇବାକୁ ଯାଉଥିଲେ, ନିଜ ବ୍ୟକ୍ତିଗତ ଷ୍ଟାଫ୍‌ଙ୍କୁ ଦରମା ଦେଉଥିଲେ

ନୂଆଦିଲ୍ଲୀ: ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି ବିବାଦୀୟ ହୋଇପଡ଼ିଥିବା ଉଦ୍ୟୋଗୀ ତଥା ଭାରତପେ’ର ଅନ୍ୟତମ ପ୍ରତିଷ୍ଠାତା ଅସନୀର ଗ୍ରୋଭରଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭରଙ୍କୁ ଭାରତପେ’ରୁ ବିଦା କରାଯାଇଛି। ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଥିଲା। ଏକ ବାହ୍ୟ ସଂସ୍ଥା ଜରିଆରେ ତାହାର ଅଡିଟ୍ କରିବା ପରେ ମାଧୁରୀଙ୍କ କାର୍ଯ୍ୟକାଳକୁ ତତ୍କାଳ ଶେଷ କରାଯାଇଛି। ତାଙ୍କୁ ଦିଆଯାଇଥିବା ଷ୍ଟକ୍ ବିକଳ୍ପ ମଧ୍ୟ ବାତିଲ କରାଯାଇଛି। ଅଭିଯୋଗ ରହିଛି ଯେ ମାଧୁରୀ କଂପାନି ଟଙ୍କାକୁ ନିଜ ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିଲେ। ନିଜର ରୂପଚର୍ଯ୍ୟା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଉତ୍ପାଦ କିଣିବା ଓ ଆମେରିକା ଓ ଦୁବାଇ ଭଳି ସ୍ଥାନକୁ ସପରିବାର ଛୁଟି କଟାଇବା ଲାଗି ଯିବା ବେଳେ ସେ କଂପାନିର ଟଙ୍କାକୁ ବ୍ୟବହାର କରୁଥିଲେ। ତାଙ୍କ ବ୍ୟକ୍ତିଗତ ଷ୍ଟାଫ୍‌ଙ୍କୁ ସେ କଂପାନିରୁ ଟଙ୍କା ନେଇ ବେତନ ଦେଉଥିଲେ। କେବଳ ସେତିକି ନୁହେଁ ସେ ନିଜ ଭାଇଙ୍କୁ କଂପାନିର ଗୋପନୀୟ ତଥ୍ୟ ଦେଉଥିଲେ। ତାହାକୁ ବ୍ୟବହାର କରି ତାଙ୍କ ଭାଇ ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ କରି ଭାରତପେ’ରୁ ପେମେଣ୍ଟ୍ ହାସଲ କରୁଥିଲେ।

ଭାରତପେ ହେଉଛି ଡିଜିଟାଲ୍ ପେମେଣ୍ଟ୍‌ ସୁବିଧା ପ୍ରଦାନ କରୁଥିବା ଏକ ସଂସ୍ଥା। ଏହାକୁ ଅସନୀର ଗ୍ରୋଭର ଓ ଶାସ୍ବତ ନାକ୍‌ରାନି ୨୦୧୮ରେ ସ୍ଥାପନ କରିଥିଲେ। କଂପାନିର କଣ୍ଟ୍ରୋଲ୍‌ ମୁଖ୍ୟ ଭାବେ ମାଧୁରୀ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ଅସନୀରଙ୍କ ଏକ ଫୋନ୍‌ ବାର୍ତାଳାପ କ୍ଲିପ୍‌ ଲିକ୍ ହୋଇଥିଲା ଯେଉଁଥିରେ ସେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ। ପ୍ରକୃତରେ ସେ ‘ନାଏକା’ ନାମକ ସଂସ୍ଥାର ଆଇପିଓରେ ୫୦୦ କୋଟି ଟଙ୍କା ନିବେଶ କରିବାକୁ ଚାହୁଥିଲେ। ‌ଶେଷ ମୁହୂର୍ତ୍ତରେ ପ୍ରସ୍ତାବ ଦିଆଯାଇଥିବାରୁ ବ୍ୟାଙ୍କ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ତାହା ସହ୍ୟ କରିନପାରି ଅସନୀର ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିଲେ। ସେଥିପାଇଁ ତାଙ୍କୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଥିଲା। ଚାପ ବଢ଼ିବା ଯୋଗୁଁ ଅସନୀର କଂପାନିରୁ ତିନି ମାସ ଛୁଟି ନେଇଛନ୍ତି। ଗତ ମାସରେ କଂପାନି ପକ୍ଷରୁ ତାଙ୍କ ପତ୍ନୀ ମାଧୁରୀଙ୍କୁ ଏକ ମାସର ଛୁଟି ଦିଆଯାଇଥିଲା। ସୋନି ଟିଭିରେ ପ୍ରସାରିତ ହେଉଥିବା ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆର ଜଣେ ବିଚାରକ ଥିବା ଅସନୀରଙ୍କୁ ଭାରତପେ’ ଛାଡ଼ିବା ଲାଗି ଚାପ ପ୍ରୟୋଗ କରାଯାଉଛି। ସେଥିପାଇଁ ସେ ୪,୦୦୦ କୋଟି ଟଙ୍କା ଦାବି କରୁଛନ୍ତି। ଭାରତପେ’ରେ ମାଧୁରୀ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ରହିଛି।

ଆଜି ଭାରତପେ’ର ବରିଷ୍ଠ ଅଧିକାରୀମାନଙ୍କୁ ମାଧୁରୀ ଟ୍ବିଟର୍‌ ମାଧ୍ୟମରେ କଡ଼ା ନିନ୍ଦା କରିଛନ୍ତି। ତାଙ୍କ ସ୍ବାମୀ ଯେଉଁ ସଂସ୍ଥାକୁ ନିଜ ହାତରେ ଗଢ଼ିଥିଲେ ଚକ୍ରାନ୍ତ କରି ତାହା ତାଙ୍କଠାରୁ ଛଡ଼ାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ମାଧୁରୀ ସେମାନଙ୍କୁ ‘ନିଶାରେ ମତୁଆଲା’ ଥିବା ଲୋକ ବୋଲି କହିଛନ୍ତି। ମାଧୁରୀଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ରହିଛି ତାହାକୁ ଅସନୀର ମଧ୍ୟ ଖଣ୍ଡନା କରିଛନ୍ତି।

ସମ୍ବନ୍ଧିତ ଖବର