ନୂଆଦିଲ୍ଲୀ: ହିରୋ ମୋଟୋକର୍ପ ଏଭଳି ଏକ ଇଲେକ୍ଟ୍ରିକ ଯାନ ଉପସ୍ଥାପନ କରିଛି ଯାହା ଗାଡ଼ି ଦୁନିଆରେ କୌଣସି ଚମତ୍କାରଠାରୁ କମ୍ ନୁହେଁ। ଏହା ଏକ ତିନିଚକିଆ ଯାନ ହୋଇଥିବା ବେଳେ ତାହାକୁ ତିନି ମିନିଟ୍‌ରେ ଏକ ଦୁଇଚକିଆ ଯାନରେ ପରିଣତ କରିହେବ। ହିରୋ ପକ୍ଷରୁ ଏହି ଗାଡ଼ିର ନାମ ରଖାଯାଇଛି ସର୍ଜ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସର୍ଜ ହେଉଛି ଏକ ବିବିଧ ବ୍ୟବହାର ଉପଯୋଗୀ ଗାଡ଼ି ଯାହାର ନମୁନାକୁ ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନି ଉପସ୍ଥାପନ କରିଛି। ଏହା ତିନିଚକିଆ ଯାନ ସମେତ ଇଲେକ୍ଟ୍ରିକ୍ ସ୍କୁଟର ଭଳି କାମ କରିବ। ତିନିଚକିଆ ଯାନ ଭିତରେ ଇଲେକ୍ଟ୍ରିକ୍ ସ୍କୁଟରଟି ରହିଛି। ମାଲବାହୀ ଯାନ ଭାବେ ତିନିଚକିଆକୁ ବିକାଶ କରାଯାଇଛି ଏବଂ ତା’ ଭିତରେ ଦୁଇଚକିଆ ରଖାଯାଇଛି। କଂପାନି ଏହି ଗାଡ଼ିର ଚାରିଟି ଭାରିଆଣ୍ଟ ଆଣିବାକୁ ଯୋଜନା ରଖିଛି। ସର୍ଜ ଏସ୍‌୩୨ ମଡେଲ୍‌ଟି ଯଦି ତିନିଚକିଆ ଯାନ ଭାବେ କାମ କରିବ ତେବେ ତାହା ଘଣ୍ଟା ପିଛା ସର୍ବାଧିକ ୪୫ କିମି ବେଗରେ ଆଗକୁ ବଢ଼ିବ। କିନ୍ତୁ ଯଦି ତାହା ଇଲେକ୍ଟ୍ରିକ୍ ସ୍କୁଟରରେ ରୂପାନ୍ତରିତ ହେବ ତେବେ ଘଣ୍ଟା ପିଛା ୬୦ କିମି ବେଗରେ ତାହା ଯାତ୍ରା କରିପାରିବ।