ରିଜର୍ଭ ବ୍ୟାଙ୍କ କଥା ଶୁଣିଲାନି ମହାରାଷ୍ଟ୍ର: ଘରୋଇ ବ୍ୟାଙ୍କରେ ଟଙ୍କା ରଖିବନି, ସରକାରୀ ବ୍ୟାଙ୍କକୁ ପାଣ୍ଠି ସ୍ଥାନାନ୍ତର କରିବ

ମୁମ୍ବାଇ: ଘରୋଇ ବ୍ୟାଙ୍କରୁ ଟଙ୍କା ନଉଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ପରାମର୍ଶକୁ ମହାରାଷ୍ଟ୍ର ସରକାର ଗ୍ରହଣ କରିନାହାନ୍ତି। ଘରୋଇ ବ୍ୟାଙ୍କରେ ଟଙ୍କା ଜମା ନରଖିବା ଲାଗି ସପ୍ତାହକ ତଳେ ମହାରାଷ୍ଟ୍ର ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ପାଳନ କରିବେ। ଘରୋଇ ସଂସ୍ଥାରେ ଟଙ୍କା ନରଖିବା ଲାଗି ମହାରାଷ୍ଟ୍ରର ଅର୍ଥ ମନ୍ତ୍ରଣାଳୟ ତରଫରୁ ସମସ୍ତ ବିଭାଗ, ନିଗମ ଏବଂ ପୌର ସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ମହାରାଷ୍ଟ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ ‌ଯେଉଁ ଚିଠି ପଠାଇଥିଲା ସେଥିରେ କେବଳ ପରାମର୍ଶ ଦିଆଯାଇଥିଲା। ତାହାକୁ ପାଳନ କରିବା ଲାଗି ବାଧ୍ୟ କରାଯାଇନାହିଁ। ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିବା ପରେ ଉକ୍ତ ଟଙ୍କାକୁ ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୟେସ୍ ବ୍ୟାଙ୍କ ସଙ୍କଟ ‌ପରିପ୍ରେକ୍ଷୀରେ କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଘରୋଇ ବ୍ୟାଙ୍କରେ ଥିବା ଟଙ୍କା ନଉଠାଇବାକୁ ପରାମର୍ଶ ଦିଆଯାଇଥିଲା। ଏହା ଘରୋଇ ବ୍ୟାଙ୍କର ଆର୍ଥିକ ସ୍ଥିରତା ବିରୋଧୀ ଏବଂ ଟଙ୍କାର ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା ପ୍ରକଟ କରାଯାଇଛି ତାହା ଅମୂଳକ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲା। ଓଡ଼ିଶାରେ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ୟେସ୍‌ ବ୍ୟାଙ୍କରେ ୫୪୫ କୋଟି ଟଙ୍କା ଜମା ରଖାଯାଇଛି।

ସମ୍ବନ୍ଧିତ ଖବର