ଟମାଟୋ ବିକି ମହାରାଷ୍ଟ୍ରର କୃଷକ ମାସକରେ କୋଟିପତି

ପୁଣେ : ଦେଶରେ ଟମାଟୋ ଦର ଆକାଶଛୁଆଁ ହେବା ପରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜଣେ ଟମାଟୋ ଚାଷୀ ମାଲାମାଲ ହୋଇଯାଇଛନ୍ତି। ମାସକ ଭିତରେ ୧୩,୦୦୦ ପେଟି ଟମାଟୋ ବିକି ତୁକାରାମ ଭାଗୋଜି ଗାୟକଡ଼ ଓ ତାଙ୍କ ପରିବାର ଦେଢ଼କୋଟି ଟଙ୍କା ପାଇଛନ୍ତି। ତୁକାରାମଙ୍କର ୧୮ ଏକର କୃଷିଜମି ଅଛି ଏବଂ ସେଥିରୁ ୧୨ ଏକରରେ ସେ ତାଙ୍କ ପୁଅ ଈଶ୍ବର ଗାୟକଡ଼ ଓ ବୋହୂ ସୋନାଲିଙ୍କ ସହଯୋଗରେ ଟମାଟୋ ଚାଷ କରିଥିଲେ। ଗାୟକଡ଼ ପରିବାରର କହିବା ଅନୁଯାୟୀ ସାର ଓ କୀଟନାଶକ ପ୍ରୟୋଗ ବିଷୟରେ ତାଙ୍କର ଭଲ ଜ୍ଞାନ ଅଛି, ଯାହାଫଳରେ ତାଙ୍କ ଟମାଟୋକୁ ରୋଗପୋକରୁ ରକ୍ଷା କରି ଭଲ ଅମଳ ପାଇଥାନ୍ତି।

ନାରାୟଣଗଞ୍ଜରେ ଶୁକ୍ରବାର ଗୋଟିଏ ଦିନରେ ସେମାନେ ୯୦୦ ପେଟି ବିକି ୧୮ ଲକ୍ଷ ଟଙ୍କା ପାଇଥିଲେ। ଗତମାସରେ ସେମାନେ ପେଟି ପିଛା ମାନ ଅନୁଯାୟୀ ୧୦୦୦ରୁ ୨,୪୦୦ ଟଙ୍କା ଦରରେ ଟମାଟୋ ବିକିଥିଲେ। ପୁଣେ ଜିଲ୍ଲାର ଜୁନାର ସହରର ଟମାଟୋ ଚାଷ କରୁଥିବା କୃଷକମାନେ ଟମାଟୋ ବିକି ବର୍ତ୍ତମାନ ଲକ୍ଷପତି ହୋଇଯାଇଛନ୍ତି। ନାରାୟଣଗଞ୍ଜରେ ଭଲ ମାନର ଟମାଟୋ ପେଟି (୨୦ କେଜି) ବର୍ତ୍ତମାନ ୨,୫୦୦ ଟଙ୍କାରେ ବିକ୍ରି ହେଉଛି, ଅର୍ଥାତ୍ କିଲୋଗ୍ରାମ୍ ପିଛା ୧୨୫ ଟଙ୍କା। କେବଳ ମହାରାଷ୍ଟ୍ର ନୁହେଁ, କର୍ଣ୍ଣାଟକର ଚାଷୀମାନେ ବି ବର୍ତ୍ତମାନ ଟମାଟୋ ବିକି ମାଲାମାଲ ହେବା ଦେଖାଯାଉଛି।

ସମ୍ବନ୍ଧିତ ଖବର