ମହିନ୍ଦ୍ରାର ନୂଆ ଏକ୍ସୟୁଭି ୩୦୦ ଉନ୍ମୋଚିତ

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ବହୁ ପ୍ରତୀକ୍ଷିତ ସ୍ପୋର୍ଟସ ଉପଯୋଗୀ ଯାନ (ଏସୟୁଭି) ଏକ୍ସୟୁଭି ୩୦୦ର ଉନ୍ମୋଚନ ଆଜି କରାଯାଇଛି। କମ୍ପାନି ପକ୍ଷରୁ ଏହି ଗାଡ଼ିକୁ ଏକ୍ସୟୁଭି ୩ଓହଓହ କୁହାଯାଉଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଏହି ଗାଡ଼ି ଉପଲବ୍ଧ ହେବ। ପେଟ୍ରୋଲ ଭାରିଆଣ୍ଟ ଡବ୍ଲ୍ୟୁ୪ର ଏକ୍ସ ସୋରୁମ ମୂଲ୍ୟ ୭ ଲକ୍ଷ ୯୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଡିଜେଲ ଡବ୍ଲ୍ୟୁ୪ ଭାରିଆଣ୍ଟର ଏକ୍ସସୋରୁମ ମୂଲ୍ୟ ‌୮ ଲକ୍ଷ ୪୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଲୁକ୍, ଡିଜାଇନ୍ ଏବଂ ପଫର୍ମାନ୍ସ କ୍ଷେତ୍ରରେ ଏହି ଗାଡ଼ି ଉନ୍ନତମାନର ରହିଛି। ସେହିଭଳି ନିରାପତ୍ତା ସୁବିଧା ଏବଂ ଅନ୍ୟାନ୍ୟ ହାଇଟେକ୍ ବୈଶଷ୍ଟ୍ୟ ଏଥିରେ ରହିଛି। ୬ଟି ମନୋଟୋନ୍ ଏବଂ ୨ଟି ଡୁଆଲ ଟୋନ୍ ରଙ୍ଗରେ ଏହି ଗାଡ଼ି ବଜାରକୁ ଆସିଛି। ନୂଆ ଗାଡ଼ିର ଉନ୍ମୋଚନ ଅବସରରେ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କୁହନ୍ତି, ଆଜି ନୂଆ ଏକ୍ସୟୁଭି ୩୦୦ ଉନ୍ମୋଚନ କରି ଆକାଂକ୍ଷା ସ୍ତରକୁ ଆହୁରି ଉପରକୁ ନିଆଯାଇଛି। କୋରିଆର ସାଙ୍ଗୟଙ୍ଗର ବୈଷୟିକ ସହଯୋଗିତାରେ ନିର୍ମାଣ ହୋଇଥିବା ଏହି ଗାଡ଼ି ସମସ୍ତଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି। ନୂଆ ଗାଡ଼ି ଉନ୍ମୋଚନ ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଡ. ପୱନ ଗୋଏଙ୍କା, ଅଟୋମୋଟିଭ ସେକ୍ଟରର ସଭାପତି ରଜନ ୱାଧେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର