ମହିନ୍ଦ୍ରା ଅଟକାଇଲା ୧୦୦୦ କୋଟି ନିବେଶ

ନୂଆଦିଲ୍ଲୀ: ବଜାରରେ ଗାଡ଼ି ବିକ୍ରି ହେଉନଥିବାରୁ ଗାଡ଼ି କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶ ଅଟକାଇବା ଆରମ୍ଭ କରିଛନ୍ତି। ‌ପ୍ରଥମ କଂପାନି ଭାବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅଟକାଇ ଦେଇଛି। ଚଳିତ ବର୍ଷ ଯଦି ଏହି ନିବେଶ ନହେବ ତେବେ ଅଧିକ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ବୋଲି କଂପାନିର ଏମ୍‌ଡି ପୱନ ଗୋଏଙ୍କା କହିଛନ୍ତି। ଗାଡ଼ି ନିର୍ମାତାଙ୍କ ସଂଘ ସିଆମ୍ ତରଫରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋଏଙ୍କା କହିଛନ୍ତି ଯେ, ଆମେ ଚଳିତ ବର୍ଷ ଗାଡ଼ି ଓ ଟ୍ରାକ୍ଟର ଉତ୍ପାଦନରେ ନିବେଶ କରିବାକୁ ଥିବା ରାଶିକୁ ୮୦୦-୧୦୦୦ କୋଟି ଟଙ୍କା କମାଇ ଦେବୁ। ଆମେ ଆଶା କରୁଛୁ ପୂଜା ଋତୁରେ ସ୍ଥିତି ସୁଧୁରିଯିବ। ଯଦି ସେଭଳି କିଛି ନହେବ ତେବେ ଆଗାମୀ ଦିନରେ ମଧ୍ୟ ଆମେ କିଛି ଦିନ ପାଇଁ କାରଖାନାରେ ଉତ୍ପାଦନ ବନ୍ଦ ରଖିବୁ। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନୂଆ ଉତ୍ପାଦ ବିକଶିତ କରିବାରେ ହେଉଛି ନିବେଶ ରାଶି କମ୍ କରିନାହିଁ। ତେବେ ଉତ୍ପାଦନ କ୍ଷମତା ବଢ଼ାଇବା ଏବଂ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ହେଉଥିବା ନିବେଶକୁ କମାଇ ଦେଇଛି।

ଏହି ଅବସରରେ ମାରୁତି ସୁଜୁକିର ଏମ୍‌ଡି ଓ ସିଇଓ କେନିଚି ଆୟୁକାୱା କହିଛନ୍ତି ଯେ, ଗାଡ଼ି ଶିଳ୍ପରେ ସୁଧାର ପାଇଁ ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି। ଟାଟା ମୋଟର୍ସର ଏମ୍‌ଡି ଓ ସିଇଓ ଗୁଣ୍ଟର୍‌ ବଟ୍‌ଚେକ୍ କହିଛନ୍ତି ‌ଯେ, ଗାଡ଼ି ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି କାହାଣୀର ପତନ ହେବାକୁ ଯାଉଛି। ଏହି ଅବସରରେ ସିଆଇଆଇର ସଭାପତି ଉଦୟ କୋଟାକ୍ କହିଛନ୍ତି ଯେ, ମାନ୍ଦାବସ୍ଥା କବଳରୁ ମୁକ୍ତି ପାଇବା ଲାଗି ଗାଡ଼ି କଂପାନିଗୁଡ଼ିକୁ ରପ୍ତାନି ବଢ଼ାଇବାକୁ ପଡ଼ିବ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ଥିବାରୁ ଏହା ସେମାନଙ୍କୁ ସୁହାଇବ। ସେ ଏହା ମଧ୍ୟ କହିଛନ୍ତି ଯେ, କାର୍ କିଣିବା ଲାଗି ଲୋକମାନେ ଆଉ ଅଭିଳାଷ ରଖୁନାହାନ୍ତି। ସେଥିପାଇଁ ଗାଡ଼ି କଂପାନିଗୁଡ଼ିକୁ କିଛି ଅଲଗା ଚିନ୍ତା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର