ଚିପ୍‌ ଅଭାବ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର କାର ଉତ୍ପାଦନ ପ୍ରଭାବିତ

ଚେନ୍ନାଇ: ଦେଶରେ କାର୍‌ ନିର୍ମାତାମାନେ ସେ‌ମିକଣ୍ଡକ୍ଟର ଚିପ୍‌ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର କାର ଉତ୍ପାଦନ ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଚିପ୍ ଅଭାବ କାରଣରୁ କମ୍ପାନି କାର୍‌ ଉତ୍ପାଦନ ହ୍ରାସ କରିବା ନେଇ ବିଚାର କରୁଛି ବୋଲି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ଉପରେ ବିଚାରବିମର୍ଶ ଚାଲିଛି। କିନ୍ତୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଜେଜୁରିକର୍‌ କହିଛନ୍ତି। ଚିପ୍‌ ଅଭାବ ଯୋଗୁ ମାରୁତି ସୁଜୁକି ଉତ୍ପାଦନ ହ୍ରାସ ବିଷୟ ଘୋଷଣା କରିବା ପରେ ମହିନ୍ଦ୍ରା ପକ୍ଷରୁ ଏହି ସୂଚନା ମିଳିଛି।

ଚିପ୍‌ ଅଭାବ ପାଇଁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଗ୍ରାହକଙ୍କୁ ଗାଡ଼ି ଡେଲିଭରି ଯୋଜନା ପ୍ରଭାବିତ ହୋଇଛି। ସେମିକଣ୍ଡକ୍ଟର ଚିପ୍ ଯୋଗାଣ ସଂପର୍କରେ ସ୍ଥିତି ସୁଧୁରିଲେ ଏକ୍ସୟୁଭି୭୦୦ର ଡେଲିଭରି ସଂପର୍କରେ କମ୍ପାନି ଘୋଷଣା କରିବ। ବର୍ତ୍ତମାନ ସେମିକଣ୍ଡକ୍ଟର ଯୋଗାଣରେ ସ୍ଥିରତା ନାହିଁ। ଯୋଗାଣରେ ସ୍ଥିରତା ଆସିଛି ବୋଲି ବିଶ୍ବାସ ରହିଲେ କମ୍ପାନି ଏହି ଗାଡ଼ିର ଡେଲିଭରି ଯୋଜନା ଘୋଷଣା କରିବ। ଭାରତକୁ ମୁଖ୍ୟତଃ ମାଲେସିଆ ଭଳି ଦେଶରୁ ସେ‌ମିକଣ୍ଡକ୍ଟର ଚିପ୍‌ ଆସିଥାଏ। କିନ୍ତୁ ସେଠାରେ ମହମାରୀର ସ୍ଥିତି ଖରାପ ଥିବାରୁ ଚିପ୍‌ ଯୋଗାଣ କମିଛି ବୋଲି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସିଇଓ ଅନିଶ ଶାହ କହିଛନ୍ତି। ଗାଡ଼ି ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ମୂଲ୍ୟବୃଦ୍ଧି ସହିତ ଚିପ୍‌ ଅଭାବ ଅଟୋମୋବାଇଲ କମ୍ପାନି ଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର