ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରର ଜଣେ ବ୍ୟକ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଓ ତାଙ୍କ କମ୍ପାନିର ୧୩ଜଣ କର୍ମଚାରୀଙ୍କ ବିରୋଧରେ ରାୟପୁର ଥାନାରେ ନିକଟରେ ମାମଲା ରୁଜୁ କରିଥିଲେ।

Advertisment

ପୀଡ଼ିତ ରାଜେଶ ନିଜ ଅଭିଯୋଗରେ ଉଲ୍ଲେଖ କରି କହିଥିଲେ କି, ସେ ତାଙ୍କର ଏକମାତ୍ର ଡାକ୍ତର ଝିଅ ଅପୂର୍ବ ମିଶ୍ରାଙ୍କୁ ସ୍କର୍ପିଓ ଗାଡ଼ି ଉପହାରରେ ଦେଇଥିଲେ। ୨୦୨୨ ଜାନୁଆରି ୧୪ ତାରିଖରେ ଝିଅ ଅପୂର୍ବ ତାଙ୍କ ସାଙ୍ଗଙ୍କ ସହିତ ଲକ୍ଷ୍ମୌରୁ କାନପୁର ଫେରୁଥିଲେ। କୁହୁଡ଼ି ଥିବା ହେତୁ ତାଙ୍କ ଗାଡ଼ି ଡିଭାଇଡରରେ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଯାଇଥିଲା।ସିଟ ବେଲଟ ପିନ୍ଧିଥିବା ସତ୍ତ୍ବେ ଠିକ ସମୟରେ ଏୟାରବ୍ୟାଗ ଖୋଲି ନଥିଲା। ଯଦି ଏୟାରବ୍ୟାଗ ଖୋଲି ଥାଆନ୍ତା ହୁଏତ ତାଙ୍କ ଝିଅର ଜୀବନ ବଞ୍ଚି ଯାଇଥାଆନ୍ତା।

ତିରୁପତି ଅଟୋମୋବାଇଲ୍ସରୁ ସେ ଏହି ଗାଡ଼ି କ୍ରୟ କରିଥିଲେ। ଜାନୁଆରି ୨୯ ତାରିଖରେ ଝିଅର ମୃତ୍ୟୁ ପରେ ସେ ସୋ’ରୁମରେ ପହଞ୍ଚି ସ୍କର୍ପିଓରେ ଥିବା ତ୍ରୁଟି ବିଷୟରେ ଜଣାଇଥିଲେ। କିନ୍ତୁ ସୋ’ରୁମର କୌଣସି କର୍ମଚାରୀ ତାଙ୍କର ଅଭିଯୋଗ ନଶୁଣି ଓଲଟି ଧମକ ଦେଇଥିଲେ।

କାନପୁର ପୁଲିସ ଏହି ଘଟଣାକୁ ନେଇ କହିଥିଲେ, ‘କାରର ଯାଞ୍ଚ କରାଯିବ। ଏହି ଯାଞ୍ଚ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ତେବେ ମୃତଝିଅଙ୍କ ବ‌ାପାଙ୍କ ଏଭଳି ଅଭିଯୋଗ ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଜଣେ ଅଧିକାରୀ କହିଛନ୍ତି, ‘ଏହି ଘଟଣା ୧୮ମାସ ପୁରୁଣା। ରିପୋର୍ଟ କରାଯାଇଥିବା ଘଟଣା ୨୦୨୨ ଜାନୁଆରି ମାସର। ଅଭି‌ଯୋଗ ହୋଇଛି କି ଗାଡ଼ିରେ ଏୟାରବ୍ୟାଗ ନଥିବା ହେତୁ ଝିଅର ମୃତ୍ୟୁ ହୋଇଥିଲା । ମୁଁ ଏହି ଘଟଣାକୁ ନେଇ ସ୍ପଷ୍ଟ ଭାବେ କହିବି କି ୨୦୨୦ରେ ନିର୍ମିତ ହୋଇଥିବା ସ୍କର୍ପିଓ ଏସ୯ରେ ଏୟାରବ୍ୟାଗ ନିଶ୍ଚିତ ଭାବେ ଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହି ଘଟଣାର ଯାଞ୍ଚ  ବି କରିଥିଲା। ଯାଞ୍ଚରୁ ଏୟାରବ୍ୟାଗରେ କୌଣସି ତ୍ରୁଟି ନଥିବା ଜଣାପଡ଼ିଥିଲା। ଏହା ଏକ ରୋଲଓଭର ଦୁର୍ଘଟଣା ଥିଲା। ଯେଉଁ କାରଣରୁ ଦୁର୍ଘଟଣା ସମୟରେ ଏୟରବ୍ୟାଗ ଖୋଲି ନଥିଲା।

ଏହି ମାମଲାଟି ବିଚାରଧୀନ ଅଛି। ଆଗାମୀ ଯାଞ୍ଚରେ ଯାହା ବି ଆବଶ୍ୟକ ହେବ ଆମ କମ୍ପାନି ସମ୍ପୂର୍ଣ୍ଣଭାବେ ଅଧିକାରୀଙ୍କ ସହ ସହଯୋଗ କରିବ।