ନୂଆଦିଲ୍ଲୀ: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ପକ୍ଷରୁ ୪ଜି ଉପକରଣ ପାଇଁ ସଂଶୋଧିତ ଟେଣ୍ଡର ଆହ୍ବାନ କରାଯିବାକୁ ଥିବା ବେଳେ ସେହି ପ୍ରକ୍ରିୟାରେ ଟେକ୍ ମହିନ୍ଦ୍ରା ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛି। କଂପାନିର ସିଇଓ ସିପି ଗୁରନାନି କହିଛନ୍ତି, ୪ଜି ଓ ୫ଜିର ଡିଜିଟାଲ୍ ହାଇୱେ ନିର୍ମାଣ କରିବା ଲାଗି ଆମେ ପ୍ରସ୍ତୁତ ଅଛୁ। ଆମ ପାଖରେ ପରିପକ୍ବ ପ୍ରଯୁକ୍ତି ରହିଛି ଯାହାକୁ ଆମେ ନେଟ୍ୱର୍କରେ ବ୍ୟବହାର କରି ଯଥେଷ୍ଟ ପରିମାଣର ବ୍ୟାଣ୍ଡ୍ୱିଡ୍ଥ ସୃଷ୍ଟି କରିପାରିବୁ। ଚୀନ୍ର କଂପାନି ହୁୱେଇ ଓ ଜେଡ୍ଟିଇର ଉପକରଣ ଆଣିବା ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ବିଏସଏନ୍ଏଲ୍ ପକ୍ଷରୁ ୪୭,୦୦୦ ସାଇଟ୍କୁ ୪ଜି ସେବା ଲାଗି ପ୍ରସ୍ତୁତ କରିବା ନିମନ୍ତେ ଯେଉଁ ଟେଣ୍ଡର ଆହ୍ବାନ କରାଯାଇଥିଲା ତାହାକୁ ବାତିଲ କରାଯାଇଛି।
ଜେଡ୍ଟିଇ ଓ ନୋକିଆ ମିଳିତ ଭାବେ ୯୦୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲେ ବୋଲି ଚର୍ଚା ହେଉଛି। ଦେଶ ଭିତରେ ବ୍ୟବହାର ହୋଇପାରୁଥିବା ୪ଜି ଓ ୫ଜି ଉପକରଣ ବିକଶିତ କରିବା ଲାଗି ଗତ ଜୁନ୍ରେ ଟେକ୍ ମହିନ୍ଦ୍ରା ତରଫରୁ ସରକାରୀ ଆଇଟିଆଇଗୁଡ଼ିକ ସହ ବୁଝାମଣା କରାଯାଇଛି। ଟେକ୍ ମହିନ୍ଦ୍ରା ହେଉଛି ଦେଶର ପଞ୍ଚମ ବଡ଼ ସୂଚନା ପ୍ରଯୁକ୍ତି କଂପାନି। ଏହା ଏଟି ଆଣ୍ଡ୍ଟି ଓ ବିଟି ଭଳି ଟେଲିକମ୍ ସଂସ୍ଥାକୁ ସେବା ଯୋଗାଉଛି। ଉଲ୍ଲେଖଯୋଗ୍ୟ, ଗଲ୍ୱାନ ଘାଟିରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିତ ହେବା ପରେ ଭାରତରେ ଚୀନ୍ ବିରୋଧୀ ସ୍ଥିତି ରହିଛି।