ମେକ୍ ଇନ୍ ଇଣ୍ଡିଆକୁ ସତର୍କଘଣ୍ଟି : ଭାରତ ଛାଡ଼ିବାକୁ ଆମେରିକୀୟ କମ୍ପାନିର ଧମକ

ନୂଆଦିଲ୍ଲୀ: ବ୍ୟବସାୟିକ ପରିବେଶରେ ଉନ୍ନତି ଆଣି ପାରିଛନ୍ତି ବୋଲି ‌ସରକାର ଦାବି କରୁଛନ୍ତି। ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରୢାଙ୍କରେ ମଧ୍ୟ ଗତବର୍ଷ ଭାରତ ୩୦ଟି ସ୍ଥାନ ଉପରକୁ ଉଠିପାରିଛି। ବିଦେଶୀ କମ୍ପାନିଙ୍କ ପାଇଁ ଭାରତକୁ ଏକ ଆକର୍ଷଣୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ପ୍ରଚେଷ୍ଟା କରୁଛନ୍ତି। ଏହା ସତ୍ତ୍ବେ ସରକାରୀ ସ୍ତରରେ କମ୍ପାନିଙ୍କ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଫଳରେ ଭାରତ ଆସିଥିବା ବିଦେଶୀ କମ୍ପାନି ଏବେ ମାଲେସିଆ ପଳାଇବାକୁ ଧମକ ଦେଲାଣି।
ସୂଚନା ଅନୁଯାୟୀ ଫ୍ଲେକ୍ସ ନାମକ ଆମେରିକୀୟ କମ୍ପାନିର ଫାଇଲ ଏବେ ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ଭାରତ ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନକରନ୍ତି ତାହେଲେ ଏହି କମ୍ପାନି ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁର ଛାଡ଼ି ମାଲେସିଆ ପଳାଇବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଫ୍ଲେକ୍ସ ପକ୍ଷରୁ କୁହାଯାଇଛି, ଅଗଷ୍ଟ ମାସରେ କମ୍ପାନି କରିଥିବା ଏହାର ଆବେଦନ ଉପରେ କୌଣସି ଅଗ୍ରଗତି ହେଉନାହିଁ। ଏଠାରେ କମ୍ପାନିର ଏକ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ) ରହିଛି। ଏହି ଏସ୍‌ଇଜେଡ୍‌ ପରିସରରେ ଥିବା ଗୋଟିଏ ୟୁନିଟରୁ ଦ୍ବିତୀୟ ୟୁନିଟକୁ ବିନା ଶୁଳ୍କରେ ଉତ୍ପାଦ ନେବା ଅନୁମତି ଦେବା ଲାଗି କମ୍ପାନି ସରକାରଙ୍କୁ ଅନୁରୋଧ କରିଥିଲା।
କମ୍ପାନିକୁ ଏଥିପାଇଁ ୬ ମାସ ନିମନ୍ତେ ଅନୁମତି ଦେବାକୁ ପୂର୍ବରୁ ଆଇଟି ଓ ବାଣିଜ୍ୟ ମନ୍ତ୍ରାଳୟ ରାଜି ହୋଇଥିଲା। ଆନ୍ଧ୍ର ପ୍ରଦେଶରେ କମ୍ପାନିର ଦ୍ବିତୀୟ କାରଖାନା ସ୍ଥାପନ ହେବା ପର୍ଯ୍ୟନ୍ତ କମ୍ପାନିକୁ ଉକ୍ତ ସୁଯୋଗ ଦେବା ଲାଗି କୁହାଯାଇଥିଲା। ଅର୍ଥ ମନ୍ତ୍ରାଳୟକୁ ମଧ୍ୟ ଏଥିପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ଏହା ଉପରେ କୌଣସି ଅଗ୍ରଗତି ହେଉନାହିଁ।
ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ ଦାବି କରି ଫ୍ଲେକ୍ସ କମ୍ପାନି ପକ୍ଷରୁ ଆଇଟି ସଚିବ ଅଜୟ ସହନି, ବାଣିଜ୍ୟ ସଚିବ ଅନୂପ ୱାଧୱାନ, ଅର୍ଥ ସଚିବ ହସମୁଖ ଅଧିଆଙ୍କୁ ଚିଠି ଲେଖାଯାଇଛି। ଏକ ଭାରତୀୟ କମ୍ପାନିକୁ ବାର୍ଷିକ ୯୬ ନିୟୁତ ହ୍ୟାଣ୍ଡସେଟ ଯୋଗାଇ ଦେବାର କାର୍ଯ୍ୟାଦେଶ ଫ୍ଲେକ୍ସକୁ ମିଳିଛି। ଚେନ୍ନାଇସ୍ଥିତ ପ୍ଲାଣ୍ଟରେ ଏତେ ସଂଖ୍ୟକ ହ୍ୟାଣ୍ଡସେଟ ଉତ୍ପାଦନ କରିବା କ୍ଷମତା ନଥିବାରୁ ଏହାର ଏସଇଜେଡ ସ୍ଥିତ ଶାଖାକୁ ୧୫ ନିୟୁତ ହ୍ୟାଣ୍ଡସେଟ ଉତ୍ପାଦନ ଲାଗି ଅନୁମତି ୬ମାସ ପାଇଁ ମାଗିଥିଲା। କମ୍ପାନି ଏଥିପାଇଁ ୨୦ ପ୍ରତିଶତ ସୀମା ଶୁଳ୍କ ଛାଡ଼ ଦାବି କରୁଛି। ପୂର୍ବରୁ ଏପ୍ରକାର ଛାଡ଼ କେତେକ କମ୍ପାନିକୁ ମିଳିଛି। ଏଭଳି ସୁବିଧା ମୁକ୍ତ ବାଣିଜ୍ୟ ରାଜିନାମା କରିଥିବା ଏସିଆନ ଦେଶଗୁଡ଼ିକୁ ଭାରତ ପ୍ରଦାନ କରୁଛି ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର