ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍:ଯୋଗଦେବେ ୮୦୦ ଶିଳ୍ପପତି

ଭୁବନେଶ୍ବର: ଓଡ଼ିଶା ଆଉ ପୂର୍ବଭଳି ନାହିଁ। ଶିଳ୍ପାୟନଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତିମାନଙ୍କୁ ସରକାର ଆସନ୍ତା ୧୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନ୍‌‌‌କ୍ଲେଭ-୨୦୧୮’ରେ ରାଜ୍ୟର ପରିବର୍ତ୍ତିତ ଦୃଶ୍ୟପଟ୍ଟକୁ ପ୍ରଦର୍ଶନ କରାଇବେ। କେବଳ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଲାଗି ମେକ୍ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ ଆୟୋଜନ ହେଉନାହିଁ, ବରଂ ରାଜ୍ୟ ହାସଲ କରିଥିବା ଅଗ୍ରଗତି ସମ୍ପର୍କରେ ଦେଶ ଓ ‌ବିଦେଶର ପ୍ରତିନିଧିମାନଙ୍କୁ ନୂଆ ବାର୍ତ୍ତା ଦେବା ପାଇଁ ଉକ୍ତ ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ୧୧ ତାରିଖରେ ଆରମ୍ଭ ହେବ। ସକାଳୁ କନକ୍ଲେଭ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ। ତେବେ ସଂଧ୍ୟାରେ ଜନତା ମଇଦାନରେ ଏହି କନକ୍ଲେଭ ଉଦଘାଟନ ହେବ। ୧୨ ତାରିଖ ଦିନ ପୂର୍ବାହ୍ଣରେ ପ୍ଲେନାରୀ ବା ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ବିଜ୍‌ନେସ୍ ଲିଡରସିପ୍ ସମ୍ମିଳନୀ ଅନୁଷ୍ଠିତ ହେବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଜନେସ ଲିଡରସିପ ସମ୍ମିଳନୀରେ ଷ୍ଟାର ବକ୍ତାଭାବେ ଯୋଗଦେବେ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି।
ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣରେ ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍, ବେଦାନ୍ତ ରିସୋର୍ସେସର ଅନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦେବେ ବୋଲି କୁହାଯାଇଛି। ଅତିକମ୍‌‌ରେ ୬ଟି ଦେଶ ଯଥା ଦକ୍ଷିଣ କୋରିଆ, ଜାପାନ, ଫ୍ରାନ୍ସ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଜର୍ମାନୀର ଶି‌‌ଳୋଦ୍ୟୋଗୀ ସାମିଲ ହେବେ। କାର୍ଯ୍ୟକ୍ରମରେ ‌ଦେଶବିଦେଶରୁ ମୋଟ ୮୦୦ ଛୋଟ ବଡ଼ ଶି‌ଳ୍ପୋଦ୍ୟୋଗୀ ଓ ପ୍ରତିନିଧି ଯୋଗଦେବେ ବୋଲି ଆଶା ରଖାଯାଇଛି।
କନକ୍ଲେଭରେ ଦେଶବିଦେଶରୁ ଦେଢ଼ ଶହ ବିଶେଷଜ୍ଞ ମଧ୍ୟ ଯୋଗଦେବେ। ବିଭିନ୍ନ ଅଧିବେଶନରେ ସେମାନେ ସେମାନଙ୍କ ବକ୍ତବ୍ୟ ରଖିବେ ଓ ମତ ବିନିମୟ କରିବେ। କେବଳ ଶିଳ୍ପ ନୁହେଁ, ଶିକ୍ଷା, ଉଚ୍ଚ ଶିକ୍ଷାଠାରୁ ଆରମ୍ଭ କରି ମହିଳା ଓ ଶିଶୁ ବିକାଶ ଆଦି କ୍ଷେତ୍ରର ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କନକ୍ଲେଭର ସହଯୋଗୀ ଦେଶ ଜାପାନ ରହିଛି। ତେଣୁ ଅନେକ ଜାପାନୀ କମ୍ପାନି ଏହି କନକ୍ଲେଭରେ ଯୋଗଦେବେ। ସେମାନଙ୍କ ମଧ୍ୟରେ ମିତସୁବିଶି ହେଭି ଇଣ୍ଡଷ୍ଟ୍ରିଜ୍, ମରୁବେନି, ଜେଏଫଇ ଷ୍ଟିଲ, ନିସିନ ଫୁଡ୍ସ, ମିତସୁଇ, ତାହାହାତା ପ୍ରିସିସନ ଆଦି କମ୍ପାନି ରହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଇଡ୍‌କୋ ସିଜିଏମ୍ (ପିଆଣ୍ଡଏ) ଗଣେଶ୍ବର ‌େଜନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ନଦୀ ଓ ପର୍ଯ୍ୟଟନ ସ୍ଥଳୀ ନାମରେ ହ୍ୟାଙ୍ଗର
ଚଳିତବର୍ଷର କନକ୍ଲେଭ ପାଇଁ ନଦୀ ଗୁଡ଼ିକ ନାମରେ ହ୍ୟାଙ୍ଗର ନିର୍ମାଣ ହୋଇଛି। ସେଗୁଡ଼ିକ ମଧ୍ୟରେ ପ୍ଲେନାରି ସେସନ ମହାନଦୀ ହ୍ୟାଙ୍ଗରରେ ହେବ। ଅନ୍ୟ ହ୍ୟାଙ୍ଗର ଗୁଡ଼ିକ ହେଲା ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା ରହିଛି। ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ ସେମିନାର ଏହି ହ୍ୟାଙ୍ଗର ଗୁଡ଼ିକରେ ଅନୁଷ୍ଠିତ ହେବ। ସେହିଭଳି ଏକ୍ସପୋ ପାଇଁ ୩ଟି ହ୍ୟାଙ୍ଗର ପ୍ରସ୍ତୁତ ହୋଇଛି। ସେଗୁଡ଼ିକ ମଧ୍ୟ ଓଡ଼ିଶାର ଦର୍ଶନୀୟ ସ୍ଥାନ ଗୁଡ଼ିକ ନାମରେ ତିଆରି ହୋଇଛି। ସେଗୁଡ଼ିକ ହେଲା ଚିଲିକା, ଶିମିଳିପାଳ ଓ ଭିତରକନିକା। ଏହି ହ୍ୟାଙ୍ଗରରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ଏକ୍ସପୋ ବା ପ୍ରଦର୍ଶନୀ କରିବେ। ଏତଦବ୍ୟତୀତ ଚଳିତବର୍ଷ କନକ୍ଲେଭର ମୁଖ୍ୟ ଆକର୍ଷଣ ହେଉଛି ଏକ ଗମ୍ବୁଜ। ତାହାର ନାମ ଦେଓମାଳୀ ରଖାଯାଇଛି। ଏଠାରେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦର୍ଶିତ ହେବ। ଏତଦବ୍ୟତୀତ ସାମ୍ବାଦିକମାନଙ୍କ ପାଇଁ ଏଠାରେ ପ୍ରଦର୍ଶନୀର ରିପୋର୍ଟିଂ ପାଇଁ ଉନ୍ନତମାନର ବ୍ୟବସ୍ଥା କରାଯାଇଛି ବୋଲି ଇଡକୋର ସିଏମଡି ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।
ଯୋଗଦେବେ ଫେସନ ଡିଜାଇନର ବିଭୂ ମହାପାତ୍ର
କନକ୍ଲେଭ ଯଦିଓ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ କିନ୍ତୁ ୧୩ ତାରିଖ ସଂଧ୍ୟାରେ ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ବାହାରୁ ଆସୁଥିବା ପ୍ରତିନିଧିମାନେ ଏତେଦିନ ଧରି ରହି ନପାରିବା କାରଣରୁ ଉଦଯାପନୀ ଉତ୍ସବ ୧୩ ତାରିଖ ସଂଧ୍ୟା‌ରେ ହେବ ବୋଲି କୁହାଯାଇଛି। ରାଉରକେଲାରେ ଜନ୍ମିତ ଓ ଆମେରିକାରେ ବାସ କରୁଥିବା ପ୍ରସିଦ୍ଧ ଫେସନ ଡିଜାଇନର ବିଭୂ ମହାପାତ୍ର ୧୩ ଓ ୧୪ ତାରିଖରେ ଯୋଗଦେଇ ନିଜର ବକ୍ତବ୍ୟ ରଖିବେ। ଓଡ଼ିଶା ଭିତ୍ତିକ ହସ୍ତତନ୍ତ କାମକୁ ନେଇ ପ୍ରସ୍ତୁତ ଶାଢ଼ି ଓ ଅନ୍ୟ ପୋଷାକ ମାଧ୍ୟମରେ ତାଙ୍କ ଦ୍ବାରା ଏକ ଫେସନ ସୋ ହେବ। ୧୨ ତାରିଖରେ ପ୍ଲେନାରି ଅଧିବେଶନ ଉଦଘାଟନବେଳେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଓ ତାଙ୍କ ଟିମ୍ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ସମ୍ବନ୍ଧିତ ଖବର