ମେକ୍‌ ଇନ୍ ଓଡ଼ିଶା ପ୍ରଦର୍ଶନୀ ସରିଲା: ଶେଷଦିନରେ ମଜାନେଲେ ଜନତା, ଷ୍ଟଲ ବୁଲିଲେ, ଫଟୋ ଉଠାଇଲେ

ଭୁବନେଶ୍ବର: ଜନତା ମଇଦାନରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅବସରରେ ଚାଲିଥିବା ପ୍ରଦର୍ଶନୀ ଆଜି ଶେଷ ହୋଇଛି। ଗତ ୩୦ ତାରିଖରେ କନକ୍ଲେଭକୁ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ୧ ତାରିଖରୁ ୩ ତାରିଖ ଯାଏ ପ୍ରତିଦିନ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ବୁଲି ଦେଖିବାବୁ ସାଧାରଣ ଲୋକଙ୍କ ପାଇଁ ଅନୁମତି ରହିଥିଲା। କିନ୍ତୁ ଗତକାଲି କନକ୍ଲେଭ ଶେଷ ହେବା ପରେ ଆଜି ପ୍ରଦର୍ଶନୀକୁ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଥିଲା। ଏଥିସହିତ ରବିବାର ଛୁଟିଦିନ ଥିବାରୁ ବହୁସଂଖ୍ୟକ ଲୋକ ପ୍ରଦର୍ଶନୀକୁ ଆସିଥିଲେ ଏବଂ ଅପେକ୍ଷାକୃତ ଭାବେ ଅଧିକ ସମୟ ବିତାଇଥିଲେ। ଅପରାହ୍ନରୁ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ଷ୍ଟଲ ବୁଲିବା ସହିତ ଫଟୋ ଏବଂ ସେଲ୍‌ଫି ଉଠାଇବା, କମ୍ପାନିର ଉତ୍ପାଦ ଓ ସେବା ସଂପର୍କରେ ପଚାରି ବୁଝିଥିଲେ।

ପ୍ରଦର୍ଶନୀରେ କର୍ପୋରେଟ୍ ଜଗତ ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍‌, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ସରକାରୀ ଓ ଘରୋଇ ବ୍ୟାଙ୍କ, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ, ଶିକ୍ଷା, କୃଷି ଆଦି ବିଭାଗ, ଘରୋଇ ବିଶ୍ବବିଦ୍ୟାଳୟ ଆଦିର ଷ୍ଟଲ ଏଠାରେ ଖୋଲିଥିଲା। ଷ୍ଟଲଗୁଡ଼ିକୁ ଆକର୍ଷଣୀୟ ଭାବେ ସଜାଯାଇଥିଲା। ଏଠାରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରୋନ ନିର୍ମାତା, ସିମେଣ୍ଟ, ଇସ୍ପାତ, ଆଲୁମିନିୟମ ନିର୍ମାତା, ରିଅଲ ଇଷ୍ଟେଟ ଓ ରୋବଟ୍‌ ଆଦି ନିର୍ମାତା ସେମାନଙ୍କ ଉତ୍ପାଦ ଓ ପ୍ରଯୁକ୍ତିକୁ ପ୍ରଦର୍ଶନ କରିଥିଲେ। ଏ ସଂପର୍କରେ ଲୋକମାନେ ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା। ଯୁବବର୍ଗ ଏବଂ ଉଦ୍ୟୋଗୀ ମନୋଭାବ ରଖିଥିବା ବ୍ୟକ୍ତିମାନେ କେତେକ ଷ୍ଟଲରେ ଉଦ୍ୟୋଗ ସ୍ଥାପନ ସଂପର୍କରେ ଅନୁସନ୍ଧାନ କରିଥିଲେ। ଏଥିସହିତ ଚଳିତବର୍ଷ ପ୍ରଦର୍ଶନୀରେ ଜାପାନ, ନରୱେ ଏବଂ ଅନ୍ତର୍ଜାତୀୟ ଷ୍ଟଲ ଖୋଲାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର