ମେକ୍‌ ଇନ୍‌ ଓଡ଼ିଶାରେ ଅଧିକ ଦେଶ ସାମିଲ ହେବେ

ଦେଶ ବିଦେଶରେ ହେବ ରୋଡ୍‌ ସୋ’

ଭୁବନେଶ୍ୱର: ଗତବର୍ଷ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ବିଶେଷ ସଫଳତା ପାଇଥିବାରୁ ଏବେ ଦ୍ୱିତୀୟ ସଂସ୍କରଣକୁ ବ୍ୟାପକ କରିବା ଲାଗି ଯୋଜନା ରଖିଛନ୍ତି। ମେକ୍‌ ଇନ୍‌ ଓଡ଼ିଶାର ଦ୍ୱିତୀୟ ସଂସ୍କରଣକୁ ଅନ୍ତର୍ଜାତୀୟସ୍ତରର କରିବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ଏକାଧିକ ଦେଶକୁ ସହଯୋଗୀ କରିବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଜାପାନ, ଜର୍ମାନୀ, ବ୍ରିଟେନ୍‌ ଏବଂ ଚୀନ୍‌ ଆଦି ଦେଶ ସହିତ କଥାବାର୍ତା ଆରମ୍ଭ କରିଛନ୍ତି। ଏସବୁ ଦେଶରେ ରୋଡ୍‌ ସୋ’ମାନ ଆୟୋଜନ କରାଯିବ। ଏଥିସହିତ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ରୋଡ୍‌ ସୋ’ ହେବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଆସନ୍ତାବର୍ଷ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଥମ ସମ୍ମିଳନୀ ଭଳି ଏହି ସମ୍ମିଳନୀ କେନ୍ଦ୍ର ସରକାର ଶିଳ୍ପ ନୀତି ଓ ପ୍ରୋତ୍ସାହନ (ଡିଆଇପିପି) ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ମିଳିତ ସହଯୋଗରେ ହେବ। ଏହି ସମ୍ମିଳନୀକୁ ପ୍ରାୟ ୫୦୦୦ ଘରୋଇ ଏବଂ ବିଦେଶୀ କମ୍ପାନିଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯିବ। ଗତବର୍ଷ ଅନୁଷ୍ଠିତ ପ୍ରଥମ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ୧୦ଟି କ୍ଷେତ୍ରରେ ଉଦ୍ୟୋଗୀମାନେ ପ୍ରାୟ ୨,୦୩,୦୦୦ କୋଟି ଟଙ୍କା ନିବେଶ କରିବା ଲାଗି ଆଗ୍ରହ ଦେଖାଇଥିଲେ। ଧାତବ କ୍ଷେତ୍ରରେ ସର୍ବାଧିକ ୯୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଦ୍ୱିତୀୟ ମେକ୍‌ ଇନ୍‌ ଓଡ଼ିଶା ପାଇଁ ରାଜ୍ୟ ସରକାର ଆସନ୍ତା ୩୦ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ରୋଡ୍‌ ସୋ କରିବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ନିବେଶକମାନଙ୍କୁ ଭେଟି ଆଲୋଚନା କରିବେ। ଏତଦ୍‌ବ୍ୟତୀତ ସିଆଇଆଇ ପକ୍ଷରୁ ଆସନ୍ତା ମାସ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏଣ୍ଟରପ୍ରାଇଜ ଓଡ଼ିଶାର ୨୧ତମ ସଂସ୍କରଣ ଆୟୋଜନ କରୁଛି।

ସମ୍ବନ୍ଧିତ ଖବର