ମେକ୍ ଇନ୍‌ ଓଡ଼ିଶା ପାଇଁ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଆରମ୍ଭ

୨୪ଟି ପ୍ରସଙ୍ଗରେ ହେବ ଆଲୋଚନା O ପ୍ରତିନିଧିଙ୍କୁ ୯ସୁଦ୍ଧା ଅନ୍‌ଲାଇନ୍‌ ସ୍ବୀକୃତି ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର, : ଆସନ୍ତା ୧୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଥିବା ୫ ଦିନିଆ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା ଆଜି କରାଯାଇଛି। ସଚିବାଳୟର ସମ୍ମିଳନୀ କକ୍ଷରେ ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁ‌ଷ୍ଠିତ ହୋଇଛି।
ସମ୍ମିଳନୀରେ ଯୋଗଦେବାକୁ ଥିବା ପ୍ରତିନିଧିମାନଙ୍କ ସମସ୍ୟା ସମାଧାନ ସହିତ ସେମାନଙ୍କୁ ସୂଚନା ଦେବା ଲାଗି ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇଛି। ନିୟନ୍ତ୍ରଣ କକ୍ଷ ସହିତ ଟେଲିଫୋନ ନମ୍ବର-୧୮୦୦୩୪୫୭୧୧୧, ଇମେଲ୍‌[email protected] ରେ ଯୋଗାଯୋଗ କରାଯାଇ ପାରିବ। ଆସନ୍ତା ୯ ତାରିଖରୁ ଏହି ନିୟନ୍ତ୍ରଣ କକ୍ଷ ଜନତା ମଇଦାନକୁ ସ୍ଥାନାନ୍ତରିତ ହେବ। ଏଥିପାଇଁ ଟେଲିଫୋନ ନମ୍ବର ୯୫୫୬୩୪୪୮୦୦ ଓ ଉପରୋକ୍ତ ଇମେଲ୍‌ରେ ଯୋଗାଯୋଗ କରାଯାଇ ପାରିବ। ‌
‌ସମୀକ୍ଷାବେଳେ ମନ୍ତ୍ରୀ ଶ୍ରୀ ଦାସ ସମ୍ମିଳନୀରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରତିନିଧିମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ଅନଲାଇନରେ ସ୍ବୀକୃତି ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ଯୋଗଦେଇ ଚଳିତମାସ ଶେଷ ସୁଦ୍ଧା ସବୁ ବିଭାଗ ସେମାନଙ୍କ ନୋଡାଲ ଅଫିସରଙ୍କ ନାମ ଶିଳ୍ପ ବିଭାଗକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ୫ ଦିନିଆ ସମ୍ମିଳନୀରେ ୨୪ଟି ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ଏମଏସଏମଇ, ଏରୋସ୍ପେସ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ, ଇଲେକଟ୍ରୋନିକ୍ସ ଓ ଆଇଟି ଭଳି ବିଷୟ ରହିବ। ଏତଦବ୍ୟତୀତ ସମ୍ମିଳନୀ ପରିପ୍ରେକ୍ଷୀରେ ଦକ୍ଷତା ବିକାଶ କ୍ଷେତ୍ରରେ ୩୬ ଘଣ୍ଟିଆ ହାକାଥନ ଅନୁ‌ଷ୍ଠିତ ହେବ। ବିଭିନ୍ନ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟର ୨୯୩ ଜଣ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରାଯାଇ ୯୩ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି। ନଭେମ୍ବର ୧୩ ତାରିଖ ସକାଳ ୯ଟାରୁ ଏହା ଆରମ୍ଭ ହୋଇ ୧୪ ତାରିଖ ରାତି ୧୦ଟାରେ ଏହା ବନ୍ଦ ହେବ। ଭୁବନେଶ୍ବରର ସିଇଟି ପରିସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ହାକାଥନ ଇନୋଭେସନ କରିବେ। ଏହି ହାକାଥନର ନିର୍ଯାସକୁ ୧୫ ତାରିଖ ଦିନ ସମ୍ମିଳନୀରେ ଉପସ୍ଥାପନ କରାଯିବ।
ଆଜିର ବୈଠକରେ ଉନ୍ନୟନ କମିସନର ଆର. ବାଲକ୍ରିଷ୍ଠନ, ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ ଏନ ଗୁପ୍ତା, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହୀନ କାନ୍ତ ପାଣ୍ଡେ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ, ସଚିବ, ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର