ଭୁବନେଶ୍ବର: ଚଳିତ ମାସ ୩୦ରୁ ଜନତା ମୈଦାନରେ ଆରମ୍ଭ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ରାଜ୍ୟ ସରକାର ନୂଆ ଷ୍ଟାର୍ଟଅପ୍ ନୀତି ଘୋଷଣା କରିବେ। ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ର ଏହି ସୂଚନା ଦେଇଛନ୍ତି। ଟିଆଇଇ ଭୁବନେଶ୍ବର ପକ୍ଷରୁ ଆୟୋଜିତ ହଲ୍ ଅଫ୍ ଫେମ୍ ୨.୦ରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍ରେ ଓଡ଼ିଶା ଏବେ ଶ୍ରେଷ୍ଠ ୭ ରାଜ୍ୟ ମଧ୍ୟରେ ରହିଛି। ନୂଆ ଷ୍ଟାର୍ଟଅପ୍ ନୀତି ଜରିଆରେ ଆମେ ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛୁ। ଏହି ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓମ୍କାର ରାଏ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡ଼ିକ ଲାଗି ଯୋଗାଡ଼ କରାଯାଇଥିବା ପାଣ୍ଠି ପରିମାଣ ୩୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେଥିରୁ ୧୦୦ କୋଟି ଟଙ୍କା ଚଳିତ ବର୍ଷ ମିଳିଛି। ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରୋଥ୍ ଫଣ୍ଡ୍ ଓ ଫଣ୍ଡ୍ ଅଫ୍ ଫଣ୍ଡ୍ ୧୦୦୦ କୋଟି ଟଙ୍କାର ପୁଞ୍ଜି ପ୍ରତିଶ୍ରୁତି ହାସଲ କରିଛି। ଆଗାମୀ ୫ ବର୍ଷରେ ସେହି ରାଶିକୁ ନିବେଶ କରାଯିବ ବୋଲି ସେ କହିଛନ୍ତି।
ହଲ୍ ଅଫ୍ ଫେମ୍ ୨.୦ରେ ରାଜ୍ୟର ୨୫ଟି ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ଆଇଟି ଓ ଅଣ ଆଇଟି, ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରତିଷ୍ଠାତା କରାଯାଇଥିବା ଷ୍ଟାର୍ଟଅପ୍ଗୁଡ଼ିକ ଏଥିରେ ସ୍ଥାନ ପାଇଛି। ସେମାନେ ମୁମ୍ବାଇ ଆଞ୍ଜେଲ୍ସ, ଇଣ୍ଡିଆନ ଆଞ୍ଜେଲ୍ସ ଓ ଲେଟ୍ସ ଆେଞ୍ଜେଲ୍ସ ଭଳି ସଂସ୍ଥାର ନିବେଶକମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଛନ୍ତି। ଏହି ଅବସରରେ ଟିଆଇଇ ଭୁବନେଶ୍ବରର ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ଉପସଭାପତି ସୁନିଲ ତନେଜା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/f54h65fs46f5h4fh65s.jpg)