ନୂଆଦିଲ୍ଲୀ: ରେଳ ଯାତ୍ରା ସମୟରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅଭିଯୋଗ ଆଣିବା ପାଇଁ ଅନ୍ଲାଇନ୍ ଜରିଆରେ ଏଫ୍ଆଇଆର୍ ଲେଖାଇବାର ଏକ ସୁବିଧା ଉପଲବ୍ଧ କରିବା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ବୁଧବାର ରେଳ ମନ୍ତ୍ରାଳୟକୁ କହିଛନ୍ତି। ଦେଶରେ ଡିଜିଟାଲାଇଜେସନ୍ ହେବା ପରେ ବି ଏବେ ପର୍ଯ୍ୟନ୍ତ ରେଳ ଯାତ୍ରୀମାନେ ଅନ୍ଲାଇନ୍ ଜରିଆରେ ଅଭିଯୋଗ ଲେଖାଇବାରୁ ବଞ୍ଚିତ ହେଉଛନ୍ତି।
ରେଳରେ ଯାତ୍ରା କରୁଥିବା କୌଣସି ଯାତ୍ରୀଙ୍କ ସହ କିଛି ବି ଅପ୍ରୀତିକର ଘଟଣା ଘଟିଲେ ତାଙ୍କୁ ସରାକାରୀ ରେଳ ପୁଲିସ୍( ଜିଆର୍ପି) ଷ୍ଟେସନ୍କୁ ଅଭିଯୋଗ ଲେଖାଇବା ପାଇଁ ଯିବାକୁ ପଡୁଛି। ଅଭିଯୋଗ କାଗଜ ଜିଲ୍ଲା, ରାଜ୍ୟ ଆଦି ବିଭିନ୍ନ ସୋପାନ ପାର୍ କରି ଯିବା ବେଳକୁ ଢେର୍ ବିଳମ୍ବ ହୋଇଥାଏ। ଏହାଛଡ଼ା ଏପରି ମାମଲାର ଉଚିତ ତଦନ୍ତ ହେବ ବୋଲି ବି କୌଣସି ନିଶ୍ଚିତତା ନଥାଏ।
ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜନାଥ ସିଂହ କହିଛନ୍ତି କି ଯାତ୍ରୀମାନଙ୍କ ସକାଶେ ଅନ୍ଲାଇନ୍ ଜରିଆରେ ଅଭିଯୋଗ କରିବାର ଏକ ସୁବିଧା ରହିବା ଆବଶ୍ୟକ। ସେ ଆହୁରି ବି କହିଛନ୍ତି କି ଏ ସଂପର୍କରେ ରେଳ ମନ୍ତ୍ରାଳୟ ଆବଶ୍ୟକୀୟ ଆଲୋଚନା କରିବା ସହ ନିଷ୍ପତ୍ତି ନେବା ଉଚିତ। ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ସାହାଯ୍ୟ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ରାଜନାଥଙ୍କ ପରାମର୍ଶ ସଂପର୍କରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଚିନ୍ତା କରିବେ ବୋଲି କହିଛନ୍ତି। ରହିଥିବା ତଥ୍ୟରୁ ଜାଣିବାକୁ ମିଳିଛି ଯେ ବାର୍ଷିକ ପ୍ରାୟ ୨୪,୦୦୦ ରେଳ ଯାତ୍ରୀ ରେଳ ପୁଲିସରେ ଅଭିଯୋଗ ଆଣିଥାନ୍ତି।