ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ୫୦୦୦ରୁ ଅଧିକ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କଂପାନିର ଥିବା ୨୬୦ରୁ ଅଧିକ ଷ୍ଟୋର୍, ମୁଖ୍ୟ କାର୍ଯ୍ୟାଳୟ ଓ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ଏହି ନିଯୁକ୍ତି ପ୍ରଦାନ କରାଯିବ। କଂପାନିର ଶ୍ରମ ଶକ୍ତିରେ ୧୪ଟି ଦେଶର ୫୦ ପ୍ରକାର ଭାଷା କହୁଥିବା କର୍ମଚାରୀ ଅଛନ୍ତି। ଆଗାମୀ ଦିନରେ ଗହଣା ବିକ୍ରି ଓ ଷ୍ଟୋର୍ ପରିଚାଳନା କର୍ମଚାରୀ ଏବଂ ଆକାଉଣ୍ଟାଣ୍ଟ୍ ଭାବେ ନୂତନ ନିଯୁକ୍ତି ପ୍ରଦାନ କରାଯିବ। ବିଟେକ୍ ଓ ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବୀସ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିବ।
ଡିଜାଇନ୍ ଆଣ୍ଡ୍ ଡେଭେଲପ୍ମେଣ୍ଟ୍, ଡିଜିଟାଲ୍ ମାର୍କେଟିଂ, ଗହଣା ନିର୍ମାଣ, ଯୋଗାଣ ଶୃଙ୍ଖଳ ପରିଚାଳନା, ପ୍ରକଳ୍ପ କାର୍ଯ୍ୟକାରିତା, ଫାଇନାନ୍ସ ଓ ଆକାଉଣ୍ଟସ୍, ବିଜନେସ୍ ଆନାଲିଟିକ୍ସ ଓ ଆଇଟି ଆଦି କ୍ଷେତ୍ରରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏ ସମ୍ପର୍କରେ ମାଲାବାର ଗୋଲ୍ଡର ଅଧ୍ୟକ୍ଷ ଏମ୍ପି ଅହମ୍ମଦ କହିଛନ୍ତି ଯେ ଦୁନିଆର ଏକ ଦାୟିତ୍ବ ସମ୍ପନ୍ନ ଗହଣା ପ୍ରତିଷ୍ଠାନ ଭାବେ ଉଭା ହେବା ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ ତାହାକୁ ହାସଲ କରିବା ଲାଗି ନୂତନ ନିଯୁକ୍ତି ପ୍ରଦାନ କରାଯିବ। ଯୋଗ୍ୟ ପ୍ରତିଭାଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ଆଗକୁ ବଢ଼ିବା ସୁଯୋଗ ପ୍ରଦାନ କରିବା ଉପରେ ଆମେ ପ୍ରାଥମିକତା ପ୍ରଦାନ କରିଥାଉ ବୋଲି ସେ କହିଛନ୍ତି।