ଲଣ୍ଡନ ପ୍ରାସାଦ ହରାଇବେ ମାଲ୍ୟା

ବନ୍ଧକ ରଖି ଋଣ ନେଇଥିଲେ, ବ୍ୟାଙ୍କ କହୁଛି ଘର ଛାଡ଼

ଲଣ୍ଡନ: ଭାରତରେ କୋଟି କୋଟି ଟଙ୍କାର ଋଣ ଠକେଇ କରି ବ୍ରିଟେନ୍‌ରେ ମଉଜ କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା‌ାଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ତାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଖସିଯାଉଛି। ଲଣ୍ଡନ‌ର ‌ରିଜେଣ୍ଟସ୍‌ ପାର୍କ ଅଞ୍ଚଳରେ ଥିବା ତାଙ୍କର ବହୁତଳ ବିଶିଷ୍ଟ ପ୍ରାସାଦ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରାସାଦରେ ମାଲ୍ୟା, ତାଙ୍କ ପୁଅ ଓ ମା’ ରହୁଛନ୍ତି। ସେଠାରୁ ସମସ୍ତଙ୍କୁ ବାହାର କରିବା ପାଇଁ ସ୍ବିସ୍‌ ବ୍ୟାଙ୍କ ‘ୟୁବିଏସ୍‌ ଏଜି’ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପ୍ରାସାଦକୁ ବନ୍ଧକ ରଖି ମାଲ୍ୟା ଋଣ ନେଇଥିଲେ। ସେହି ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ତାଙ୍କ ପ୍ରାସାଦ ଉପରେ କବ୍‌ଜା କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବ୍ରିଟେନ୍ ହାଇକୋର୍ଟରେ ଆବେଦନ କରାଯାଇଛି। ଏହି ମାମଲାର ଶୁଣାଣି ଚଳିତ ମାସ ୨୪‌ ତାରି‌ଖରେ ହେବ। ୨୦୧୨ରେ ଏହି ବିଳାସପୂର୍ଣ୍ଣ ପ୍ରାସାଦକୁ ବନ୍ଧକ ରଖି ମାଲ୍ୟା ୧୯୫ କୋଟି ଟଙ୍କାର ଋଣ ନେଇଥିଲେ। ନିଜର ସଂସ୍ଥା ରୋଜ୍ କ୍ୟାପିଟାଲ୍ ଭେଞ୍ଚର୍ସ ଲିମିଟେଡ୍‌ ଜରିଆରେ ଋଣ ହାସଲ କରାଯାଇଥିଲା। ବିଦେଶରେ ନିଜ ସମ୍ପତ୍ତି ପରିମାଣ ବଢ଼ାଇବାରେ ମାଲ୍ୟା ଏହ‌ି ସଂସ୍ଥାକୁ ବ୍ୟବହାର କରିଥିଲେ। ଏହି ସଂସ୍ଥା ବ୍ରିଟିସ୍‌ ଭର୍ଜିନ୍ ଦ୍ବୀପରେ ପଞ୍ଜିକୃତ ଅଛି ଯାହାକୁ ଟିକସ ଠକଙ୍କ ସ୍ବର୍ଗ ବୋଲି କୁହାଯାଏ। ବନ୍ଧକ ବାବଦ ଅର୍ଥ ପରିଶୋଧ କରିବାର ଅବଧି ଗଡ଼ିଯିବା ପରେ ୟୁବିଏସ୍‌ ଏଜି ପକ୍ଷରୁ ସେବିଷୟରେ ମାଲ୍ୟାଙ୍କୁ ଅବଗତ କରାଯାଇଥିଲା। ତୁରନ୍ତ ଘର ଖାଲି କରିବାକୁ କୁହାଯାଇଥିଲା। କିନ୍ତୁ ମାଲ୍ୟା ବ୍ୟାଙ୍କର କଥା ଶୁଣିନଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ବ୍ୟାଙ୍କ ପକ୍ଷରୁ କୋର୍ଟରେ ମକଦ୍ଦମା ଦାୟର କରାଯାଇଛି। ନିଜର ପ୍ରାସାଦକୁ ବଞ୍ଚାଇବା ପାଇଁ ରୋଜ୍ କ୍ୟାପିଟାଲ୍ ଜରିଅ‌ାରେ ମାଲ୍ୟା ବହୁବାର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତିି। ଋଣ ଅର୍ଥକୁ ଅନ୍ୟ ଏକ ବ୍ୟାଙ୍କ (ସିବିଏଚ୍‌ ବ୍ୟାଙ୍କ) ଜରିଆରେ ରିଫାଇନାନ୍ସ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସଫଳ ହେଲାନାହିଁ। ଅନ୍ୟ କୌଣସି ସଂସ୍ଥା ସେହି ଋଣ ଅର୍ଥକୁ ରିଫାଇନାନ୍ସ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି। ତେଣୁ ନିଜ ପ୍ରାସାଦକୁ ବଞ୍ଚାଇବା ପାଇଁ ମାଲ୍ୟାଙ୍କ ପାଖରେ ଅଧିକ ବିକଳ୍ପ ନାହିଁ।

ସମ୍ବନ୍ଧିତ ଖବର