ହାଇକୋର୍ଟ ଗଲେ ମାଲ୍ୟା

ଲଣ୍ଡନ: ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ମାଲ୍ୟ ବ୍ରିଟେନର ହାଇକୋର୍ଟକୁ ଯାଇଛନ୍ତି। ଗତକାଲି ମାଲ୍ୟା ତଳକୋର୍ଟର ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି ବୋଲି ହାଇକୋର୍ଟର ପ୍ରଶାସନିକ କୋର୍ଟର ଜଣେ ପ୍ରବକ୍ତା କହିଛନ୍ତି। ତେବେ ମାଲ୍ୟା କହିଛନ୍ତି, ଏ ସମ୍ପର୍କରେ କିଛି ମତାମତ ଦେବାର ନାହିଁ। କାରଣ ପୂର୍ବରୁ ଏ ସମ୍ପର୍କରେ ମୁଁ ମତ ଦେଇସାରିଛି। ତେବେ ଏହି ଆବେଦନର ବିଚାର ପାଇଁ କେତେଦିନ ସମୟ ଲାଗିବ ବୋଲି ପ୍ରଶ୍ନରେ ମାଲ୍ୟା କହିଛନ୍ତି ଏ ନେଇ ସେ ବିସ୍ତୃତ ଭାବେ କିଛି ଜାଣିନାହାନ୍ତି। ତାଙ୍କ ଆଇନଜୀବୀ ଏକଥା ବୁଝୁଛନ୍ତି। ତେବେ ପ୍ରଶାସନିକ କୋର୍ଟର ପ୍ରବକ୍ତା କହିଛନ୍ତି, ନିଷ୍ପତ୍ତି ନେବାକୁ ଦୁଇ ସପ୍ତାହରୁ ଦୁଇ ମାସ ପର୍ଯ୍ୟନ୍ତ ସମୟ ଲାଗିଯାଇପାରେ। ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ‌ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍‌ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଛନ୍ତି। ହାଇକୋର୍ଟର ଦ୍ବାରସ୍ଥ ହେବା ପୂର୍ବରୁ ମାଲ୍ୟା ଗତକାଲି ଏକାଧିକ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଭାରତ ବ୍ୟାଙ୍କଗୁଡ଼ିକୁ ତାଙ୍କର ଋଣ ପରିଶୋଧ ବାବଦ ରାଶି ଗ୍ରହଣ କରିବାକୁ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି ବୋଲି କହିଥିଲେ। ଗୃହମନ୍ତ୍ରୀ ମଞ୍ଜୁରି ଦେବାର ୧୪ ଦିନ ମଧ୍ୟରେ ଆବେଦନ କରିବା ସୁଯୋଗ ମାଲ୍ୟାଙ୍କ ନିକଟରେ ରହିଥିଲା। ଗତ ୪ ତାରିଖରେ ଗୃହମନ୍ତ୍ରୀ ମଞ୍ଜୁରି ଦେଇଥିବାରୁ ୧୮ ତାରିଖ ମଧ୍ୟରେ ତାଙ୍କୁ ଆବେଦନ କରିବା ସୁଯୋଗ ରହିଥିଲା। ତେବେ ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ଭାଲେଣ୍ଟାଇନ ଡେ’ରେ ସେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର