ମାଲ୍ୟା, ନିରବ, ଚୋକ୍‌ସିଙ୍କ ଠକେଇ: ବ୍ୟାଙ୍କ ଫେରିପାଇଲେ ୧୮,୦୦୦ କୋଟି, ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍‌ ଚୋକ୍‌ସିଙ୍କ ଭଳି ଋଣ ଠକଙ୍କ ମାମଲାରେ ବ୍ୟାଙ୍କଗୁଡ଼ିକ ୧୮ ହଜାର କୋଟି ଟଙ୍କା ଫେରିପାଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହଟା ଏହି ସୂଚନା ଦେଇଛନ୍ତି। ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କ ନେତୃତ୍ବାଧୀନ ଖଣ୍ଡପୀଠକୁ ସେ ଜଣାଇଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ ୬୭,୦୦୦ କୋଟି ଟଙ୍କା ଜଡ଼ିତ ଥିବା ବହୁ ମନି ଲଣ୍ଡରିଂ ମାମଲା ବିଚାରାଧୀନ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୪,୭୦୦ ମନି ଲଣ୍ଡରିଂ ମାମଲାର ତଦନ୍ତ କରିଛନ୍ତି। ୨୦୧୫-୧୬ରେ ଏଭଳି ମାମଲା ସଂଖ୍ୟା ୧୧୧ ଥିଲା। ୨୦୨୦-୨୧ରେ ମାମଲା ସଂଖ୍ୟା ୯୮୧ ଥିଲା।
ମନି ଲଣ୍ଡରିଂ ପ୍ରତିରୋଧ ଆଇନ (ପିଏମ୍‌ଏଲଏ)ରେ ଇଡିକୁ ଚଢ଼ଉ, ତଦନ୍ତ ଓ ସମ୍ପତ୍ତି ଜବତ କରିବା ଲାଗି ଯେଉଁ କ୍ଷମତା ଦିଆଯାଇଛି ତାହା ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ମାମଲାକୁ ଏକତ୍ର କରି ଶୁଣାଣି ଚାଲିଛି। ଏହି ଅବସରରେ ସଲିସିଟର ଜେନେରାଲ୍ ଶ୍ରୀ ମେହଟା କୋର୍ଟଙ୍କୁ କହିଛନ୍ତି ଯେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ପୁଲିସ ଓ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ତରଫରୁ ପ୍ରାୟ ୩୩ ଲକ୍ଷ ମାମଲା ରୁଜୁ କରାଯାଇଛି। ସେଥି ମଧ୍ୟରୁ ଇଡି ୨,୦୮୬ଟି ମାମଲାର ତଦନ୍ତ ଦାୟିତ୍ବ ହାତକୁ ନେଇଛି। ପ୍ରତିବର୍ଷ ଯେତିକି ମାମଲା ପଞ୍ଜୀକରଣ ହେଉଛି ସେଥି ମଧ୍ୟରୁ ମନି ଲଣ୍ଡରିଂ ଅଭିଯୋଗରେ ତଦନ୍ତ କରାଯାଉଥିବା ମାମଲା ସଂଖ୍ୟା ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କମ୍ ରହିଛି। ବ୍ରିଟେନ୍‌ରେ ୭,୯୦୦, ଆମେରିକାରେ ୧,୫୩୨, ଚୀନ୍‌ରେ ୪,୬୯୧, ଅଷ୍ଟ୍ରିଆରେ ୧,୦୩୬, ହଂକଂରେ ୧,୮୨୩, ବେଲଜିୟମ୍‌ରେ ୧,୮୬୨ ଓ ରୁଷିଆରେ ୨,୭୬୪ଟି ମାମଲାକୁ ଏଥିପାଇଁ ବିଚାରକୁ ନିଆଯାଇଥିବା ସେ କହିଛନ୍ତି।

ପିଏମ୍‌ଏଲ୍‌ଏ ନିୟମରେ କରାଯାଇଥିବା ସଂଶୋଧନ ଜରିଆରେ ଏହି ନିୟମର ଅପବ୍ୟବହାର ହେଉଥିବା ଅଭିଯୋଗ କରି କିଛି ସପ୍ତାହ ପୂର୍ବେ କପିଲ ଶିବଲ, ଅଭ‌‌ିଶେକ ମନୁ ସାଂଘଭି, ମୁକୁଲ ରୋହତୋଗି, ସିଦ୍ଧାର୍ଥ ଲୁଥାରା ଓ ଅମିତ ଦେଶାଇଙ୍କ ଭଳି କିଛି ବରିଷ୍ଠ ଆଇନଜୀବୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପିଏମ୍‌ଏଲ୍‌ଏ‌ ନିୟମରେ ‌ଜାମିନକୁ ନେଇ ରହିଥିବା କଠୋର ସର୍ତ୍ତ, ଗିରଫ, ବିନା ଇସିଆଇଆର୍‌ ଦେଇ ବ୍ୟକ୍ତିଙ୍କୁ ଗିରଫ କରିବା, ମନି ଲଣ୍ଡରିଂର ବ୍ୟାପକ ସଂଜ୍ଞା, ଅପରାଧରୁ ଅର୍ଜିତ ଧନ ଏବଂ ତଦନ୍ତ ବେଳେ ଅଭିଯୁକ୍ତ ଦେଉଥିବା ବୟାନକୁ କୋର୍ଟରେ ଶୁଣାଣି ବେଳେ ଗ୍ରହଣଯୋଗ୍ୟ ପ୍ରମାଣ ଭାବେ ଘୋଷଣା କରାଯାଇଥିବା ଆଦି ବ୍ୟବସ୍ଥାକୁ ନେଇ ସେମାନେ ଆପତ୍ତି ଉଠାଇଛନ୍ତି।

ସମ୍ବନ୍ଧିତ ଖବର