ଋଣ ପରିଶୋଧ ପାଇଁ ମାଲ୍ୟା ବ୍ୟାକୁଳ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଭାରତୀୟ ବ୍ୟାଙ୍କ ଗୁଡ଼ିକର ଋଣ ପରିଶୋଧ କରିବା ଲାଗି ବ୍ୟାକୁଳ ହୋଇପଡ଼ିଲେଣି। ଗୁରୁବାର ସକାଳେ ମାଲ୍ୟା ଏକାଧିକ ଟ୍ବିଟ୍ କରି ବ୍ୟାଙ୍କ ଗୁଡ଼ିକର ଋଣ ପରିଶୋଧ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ସଂସଦରେ ଦେଇଥିବା ଭାଷଣ ପରେ ମାଲ୍ୟା ଏଭଳି ଟ୍ବିଟ୍ କରିଛନ୍ତି। ମାଲ୍ୟା କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦରେ ଦେଇଥିବା ଭାଷଣ ମୋ ନଜରକୁ ଆସିଛି। ପ୍ରଧାନମନ୍ତ୍ରୀ ନିଶ୍ଚିତଭାବେ ଜଣେ ଭଲ ବକ୍ତା। ମୋ ନାମ ନନେଇ ୯ ହଜାର କୋଟି ଟଙ୍କା ନେଇ ପଳାଇଥିବା ମୋଦୀ କହିଛନ୍ତି। କିନ୍ତୁ ଏହା ମୋତେ ହିଁ ଇଙ୍ଗିତ କରୁଛି ବୋଲି ମାଲ୍ୟା କହିଛନ୍ତି। ଋଣ ପରିଶୋଧ ବାବଦରେ ମୁଁ ପ୍ରଦାନ କରୁଥିବା ରାଶିକୁ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ କାହିଁକି ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ମାଲ୍ୟା ସମ୍ମାନର ସହ ମୋଦୀଙ୍କୁ ତାଙ୍କ ଟ୍ବିଟରେ ପଚାରିଛନ୍ତି। ଏହାହେଲେ କିଙ୍ଗ ଫିସର ଏୟାରଲାଇନ୍ସକୁ ପ୍ରଦାନ କରାଯାଇଥିବା ଜନସାଧାରଣଙ୍କ ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଫେରସ୍ତ ଅଣାଯାଇ ପାରିଛି ବୋଲି ଏଥିପାଇଁ ପ୍ରଧାନମନ୍ତ୍ରୀ ଦାବି କରିପାରନ୍ତେ ବୋଲି କହିଛନ୍ତି। ମୁଁ ମୋ ସମ୍ପତ୍ତିକୁ ଲୁଚାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହୁଛି। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି। ମୁଁ ଯଦି ମୋ ସମ୍ପତ୍ତିକୁ ଲୁଚାଉଛି ତାହ‌େଲେ କୋର୍ଟ ସମ୍ମୁଖରେ କିଭଳି ୧୪ ହଜାର କୋଟି ଟଙ୍କା ରଖିପାରିଲି ବୋଲି ମାଲ୍ୟା ତାଙ୍କ ଟ୍ବିଟରେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ଅଗଷ୍ଟରେ ଦେଶରେ ପଳାତକ ଅର୍ଥନୈତିକ ଅପରାଧୀ ଆଇନ କାର୍ଯ୍ୟକାରୀ ହେଲାଣି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ମାଲ୍ୟାଙ୍କୁ ଗତମାସରେ ପ୍ରଥମ ବ୍ୟବସାୟୀଭାବେ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଛନ୍ତି। ୨୦୧୬ ମାର୍ଚ୍ଚ ୨ ତାରିଖରେ ମାଲ୍ୟା ଦେଶ ଛାଡ଼ି ଲଣ୍ଡନ‌ ପଳାଇଛନ୍ତି। ତେବେ ଗତ ଡିସେମ୍ବର ୧୦ ତାରିଖରେ ଲଣ୍ଡନ ‌ଏକ ଅଦାଲତ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ରାୟ ଦେଇଛନ୍ତି। ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଧ୍ୟ ବ୍ରିଟେନର ଗୃହମନ୍ତ୍ରୀ ମଞ୍ଜୁରି ପ୍ରଦାନ କରିସାରିଛନ୍ତି। ତେବେ ଏହା ବିରୋଧରେ ମାଲ୍ୟା ସେଠାରେ ଉଚ୍ଚ ଅଦାଲତକୁ ଯିବେ ବୋଲି କହି ସାରିଛନ୍ତି।

ସମ୍ବନ୍ଧିତ ଖବର