ସୁପ୍ରିମ୍‌ କୋର୍ଟରେ ମାଲ୍ୟାଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି। ୧୦୨ ବର୍ଷ ପୁରୁଣା କଂପାନି ୟୁନାଇଟେଡ୍‌ ବ୍ରିୱେରିଜ୍‌କୁ ବନ୍ଦ କରିବା ଲାଗି କର୍ଣ୍ଣ‌ାଟକ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ୟୁନାଇଟେଡ୍‌ ବ୍ରିୱେରିଜ୍ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରାଯାଇଥିଲା। ବିଚାରପତି ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ଉକ୍ତ ଆବେଦନକୁ ବିଚାର ପାଇଁ ଗ୍ରହଣ କରିନାହାନ୍ତି। ଶୁଣାଣି ବେଳେ ବ୍ୟାଙ୍କଗୁଡ଼ିକ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀ କହିଥିଲେ ଯେ ବର୍ତମାନ ସୁଦ୍ଧା ୩୬୦୦ କୋଟି ଟଙ୍କା ଆଦାୟ ହୋଇଛି। ମାଲ୍ୟା ଓ ୟୁନାଇଟେଡ୍‌ ବ୍ରିୱେରିଜ୍ ଠାରୁ ଆହୁରି ୧୧,୦୦୦ କୋଟି ଟଙ୍କା ଅସୁଲ କରିବା ବାକି ଅଛି।

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସମ୍ପତ୍ତିଗୁଡ଼ିକୁ ଜବତ କରିବା ଠିକ୍ ହୋଇନାହିଁ। ଏହି ସବୁ ସମ୍ପତ୍ତି ଉପରେ ବ୍ୟାଙ୍କଗୁଡ଼ିକର ପ୍ରଥମ ଅଧିକାର ଥିଲା ବୋଲି ରୋହତୋଗୀ କହିଛନ୍ତି। ୨୦୧୮ ଫେବ୍ରୁଆରିରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ୟୁନାଇଟେଡ୍‌ ବ୍ରିୱେରିଜ୍ ଉପରେ ବିଭିନ୍ନ ବ୍ୟାଙ୍କର ୭୦୦୦ କୋଟି ଟଙ୍କା ବାକି ଥିଲା। ସେପ୍ଟେମ୍ବର ୩୦‌ରେ କଂପାନି ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରି ୧୪ ହଜାର କୋଟି ଟଙ୍କା ଶୁଝିବାକୁ ଆମେ ପ୍ରସ୍ତୁତ ବୋଲି କୁହାଯାଇଥିଲା। ଯେହେତୁ କଂପାନି ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ଋଣ ଅର୍ଥ ଠାରୁ ଅଧିକ ତେଣୁ ଏହି ପ୍ରସ୍ତାବକୁ ବିଚାର କରିବାକୁ କଂପାନି ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ଯେତେବେଳେ ଋଣ ଅର୍ଥ ଠାରୁ କଂପାନିର ସମ୍ପତ୍ତି ଅଧିକ ସେଠାରେ କଂପାନିକୁ ବନ୍ଦ କରିବା ନିର୍ଦେଶ ଦେବା ଠିକ ନୁହେଁ ବୋଲି ୟୁନାଇଟେଡ୍‌ ବ୍ରିୱେରିଜ୍ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜିଏସ୍‌ ବୈଦ୍ୟନାଥନ କହିଥିଲେ। ସେ କହିଥିଲେ ଯେ ଯେହେତୁ ଇଡି କଂପାନିର ଅନେକ ସମ୍ପତ୍ତି ଜବତ କରିସାରିଥିଲା, ତେଣୁ ବ୍ୟାଙ୍କଗୁଡ଼ିକ ପାଇଁ ଅଧିକ ସମ୍ପତ୍ତି ଉପଲବ୍ଧ ନଥିଲା।

ସମ୍ବନ୍ଧିତ ଖବର