ଗେଲ୍‌ଙ୍କ ସହ ଫଟୋକୁ ନେଇ ମାଲ୍ୟା ହଟହଟା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍ କ୍ରିସ୍‌ ଗେଲ୍ ବିଜୟ ମାଲ୍ୟାଙ୍କ ସହ ଉଠାଇଥିବା ଏକ ଫଟୋ ଟ୍ବିଟର୍‌ରେ ପୋଷ୍ଟ୍ କରିଥିଲେ। ଏହାକୁ ନେଇ ଟ୍ବିଟର୍‌ରେ ମାଲ୍ୟାଙ୍କୁ ବହୁତ ହଟହଟା ହେବାକୁ ପଡ଼ିଛି। ଲଣ୍ଡନର ସିଲ୍‌ଭରଷ୍ଟୋନ୍ ସର୍କିଟ୍‌ରେ ଆୟୋଜନ କରାଯାଇଥିବା ୨୦୧୯ ବ୍ରିଟିଶ ଗ୍ରାଣ୍ଡ୍‌ ପ୍ରିକ୍ସ ବେଳେ ଦୁହେଁ ଏହି ଫଟୋ ଉଠାଇଥିଲେ। ଟ୍ବିଟର୍‌ରେ ଫଟୋକୁ ପୋଷ୍ଟ୍ କରି କ୍ରିସ୍ ଗେଲ୍ ଲେଖିଥିଲେ ‘ବିଗ୍ ବସ୍‌ଙ୍କ ସହ ମିଶିବା ବହୁତ ଭଲ ଅନୁଭୂତି ଥିଲା’। ଏହି ଫଟୋ ‌ପୋଷ୍ଟ ହେବା ପରେ ଲୋକମାନେ ନାନା ପ୍ରକାର କମେଣ୍ଟ୍‌ ଦେବା ଆରମ୍ଭ କରିଥିଲେ। ଆଇପିଏଲ୍‌ରେ ବିଜୟ ମାଲ୍ୟାଙ୍କ କ୍ରିକେଟ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପୂର୍ବରୁ ଗେଲ୍ ଖେଳୁଥିଲେ।

ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଲେଖିଥିଲେ ‘ମାଲ୍ୟା ବହୁତ ଦେଶଭକ୍ତ। ସେ କେବଳ ଭାରତୀୟଙ୍କ ଠାରୁ ଚୋରି କରନ୍ତି।’ ଟ୍ବିଟର୍‌ରେ ଫଟୋକୁ ଯେଉଁମାନେ ନିନ୍ଦା କରିଥିଲେ ସେମାନଙ୍କୁ ଜବାବ ଦେବାକୁ ଯାଇ ମାଲ୍ୟା ଲେଖିଥିଲେ ଯେ, ବ୍ରହ୍ମାଣ୍ଡର ବସ୍ ଓ ମୋ ବନ୍ଧୁଙ୍କୁ ଭେଟିବା ବହୁତ ଭଲ ଲାଗିଲା। ଯେଉଁମାନେ ମୋତେ ଚୋର କହୁଛନ୍ତି ସେମାନେ ନିଜ ବ୍ୟାଙ୍କକୁ କୁହନ୍ତୁ ମୁଁ ଗତ ଏକ ବର୍ଷ ହେଲାଣି ଯେଉଁ ଟଙ୍କା ସବୁ ଫେରାଇବାକୁ ଚାହୁଛି ତାହା ‌ସେମାନେ ନିଅନ୍ତୁ। ସେତେବେ‌ଳେ ସ୍ପଷ୍ଟ ହୋଇଯିବ କିଏ ଚୋର? ଏହା ପରେ ଆଉ ଏକ ଟୁଇଟ୍‌ କରି ସେ ଲେଖିଥିଲେ ଯେ, ବ୍ରହ୍ମାଣ୍ଡ୍‌ର ବସ୍‌ଙ୍କ ସହ ମୋ ଫଟୋକୁ ନେଇ ଯେଉଁମାନେ ମତ ଦେଉଛନ୍ତି, ଦୟାକରି ଟିକେ ରହିଯାଆନ୍ତୁ ଏବଂ ମୋତେ ଚୋର କହିବା ପୂର୍ବରୁ ନିଜ ତଥ୍ୟକୁ ଯାଞ୍ଚ କରନ୍ତୁ। ଯେଉଁ ୧୦୦% ଟଙ୍କାକୁ ମୁଁ ଫେରାଇବାକୁ ଚାହୁଛି ତାହା ବ୍ୟାଙ୍କ କାହିଁକି ନେଉନାହାନ୍ତି ତାହା ଆପଣମାନଙ୍କ ବ୍ୟାଙ୍କକୁ ପଚାରନ୍ତୁ।

ସମ୍ବନ୍ଧିତ ଖବର